କୁନିନାଲ ଗାଁକୁ କେବେ ହେବ ରାସ୍ତା

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ପ୍ରସୂତୀ

ଗାଁକୁ ଭଲ ରାସ୍ତା ନାହିଁ ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତା ନଥିବା ଯୋଗୁଁ ପ୍ରାୟ ୩ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଗଲା। ଶେଷରେ ଖଟିଆରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ ଉପାନ୍ତ କୁନିନାଲ ଗାଁରେ । କୁନିନାଲର ଖଗପତି ଜାନୀଙ୍କ ସ୍ତ୍ରୀ ସୁମିତ୍ରା ଜାନୀଙ୍କୁ ସନ୍ଧ୍ୟା ସମୟରେ ହଠାତ ପ୍ରସବ ଜନିତ ପେଟ ବ୍ୟଥା ହୋଇଥିଲା। କୁନିନାଲ ଗ୍ରାମରେ କୌଣସି ନେଟୱର୍କ ନଥିବା ବେଳେ ଗ୍ରାମରୁ କିଛି ଦୂରରେ ଥିବା ପାହାଡ଼ ଉପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚଡ଼ି ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଖବର ପାଇ ତୁରନ୍ତ କୁନିନାଲ ଗ୍ରାମ ଅଭିମୁଖେ ବାହାରିଥିଲା। କୁନିନାଲ ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଖଦରାପାଣି ଠାରୁ ଅଧ କିଲୋମିଟର ଦୂର ଯିବା ପରେ ଆମ୍ବୁଲାନ୍ସ ଗାଡି ରହିଯାଇଥିଲା। ଏହି ଖବର ପାଇବା ପରେ ପରିବାର ଲୋକ କୌଣସି ଉପାୟ ନପାଇ ଗ୍ରାମବାସୀଙ୍କ ସାହାଯ୍ୟରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ଏକ ଖଟିଆରେ ଗର୍ଭବତୀ ମହିଳା ସୁମିତ୍ରାଙ୍କୁ ଅନ୍ଧାର ରାତିରେ ମୋବାଇ ଲାଇଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁମିତ୍ରା ସୁସ୍ଥ ଥିବା ସୂଚନା ମିଳିଛି।