ନୂଆ ବର୍ଷ ପାଇଁ ଅପରାହ୍ନ ୩ ଟା ରେ ଆରମ୍ଭ ହେବ ଧ୍ଵଜା ବନ୍ଧା ନୀତି

ନୂଆ ବର୍ଷ ପାଇଁ ଅପରାହ୍ନ ୩ ଟା ରେ ଆରମ୍ଭ ହେବ ଧ୍ଵଜା ବନ୍ଧା ନୀତି

ନୂଆ ବର୍ଷ ଅପରାହ୍ନ ୩ ଟା ରେ ଆରମ୍ଭ ହେବ ଧ୍ଵଜା ବନ୍ଧା ନୀତି । ଇଂରାଜୀ ନବବର୍ଷ ଦିନ ଅସମ୍ଭବ ଭିଡ଼ ସମ୍ଭାବନା ତଥା ଜନଗହଳି ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୫ଟା ପରିବର୍ତ୍ତେ ଅପରାହ୍ନ ୩ ଟା ସୁଦ୍ଧା ଧ୍ଵଜା ବନ୍ଧା ନୀତି ଶେଷ କରିବାପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଚୁନରା ସେବକମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଦେଶ ନିର୍ଗମନ କରାଯାଇଛି । ଅପରାହ୍ନ ସମୟରେ କମ ଗହଳି ମଧ୍ୟରେ ଧ୍ଵଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।ଏଣୁ ଏଥିପାଇଁ ପ୍ରତ୍ୟହ ଅପରାହ୍ନ ୧ ଟା ସୁଦ୍ଧା ଧ୍ଵଜା ବନ୍ଧା ରସିଦ କରାଯାଇ ୧ ଟା ୪୫ ସୁଦ୍ଧା ଧ୍ଵଜାଗୁଡ଼ିକୁ ଚୁନରା ପାଳିଆ ସେବକଙ୍କୁ ହତାନ୍ତର ପାଇଁ ଲେଙ୍କା ସେବକଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଏତତ୍ ବ୍ୟତୀତ ଘଣ୍ଟି ଦ୍ଵାର ଦେଇ ଶ୍ରୀମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସୁଗମ କରିବା ତଥା ଗହଳି ନିୟନ୍ତ୍ରଣ କରିବା ପାଇଁ ଚୁନରା ସେବକମାନେ କୌଣସି ଧ୍ଵଜା ଗାରଦ ପଶ୍ଚାତ ଭାଗରେ ବିକ୍ରୟ ନକରିବା ପାଇଁ ବାରଣ କରାଯିବାସହ ଏହାକୁ ନିଶ୍ଚିତ କରାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ସୂପରଭାଇଜରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏନେଇ ଚୂନରା ସେବକମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।