ବାରବାଟୀ ମ୍ୟାଚ, ୫ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା
୯ ତାରିଖରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । । କାଲିଠୁ ବାରବାଟୀ ମ୍ୟାଚ ପାଇଁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ସୁରକ୍ଷା ଯାଞ୍ଚ କରିଛନ୍ତି ଅତିରିକ୍ତ ସିପି ଓ କଟକ ଡିସିପି । କାଲି ୧୦ଟାରୁ ଅଫଲାଇନରେ ବିକ୍ରି ହେବ ଟିକେଟ୍ । ସୁରକ୍ଷା ପାଇଁ ୨୭ ପ୍ଲାଟୁନ ପୋଲିସ ସଜାଗ ରହିବେ । ରାତିରୁ ଧାଡ଼ି ନକରିବାକୁ ଡିସିପିଙ୍କୁ ଅପିଲ୍ କରାଯାଇଛି । ରାତିରୁ ଭିଡ଼ କଲେ କାର୍ଯ୍ୟାନୁଷ୍ଠାନ ହେବ । ଚୋରାରେ ଟିକେଟ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ମ୍ୟାଚ ପାଇଁ ବାରବାଟୀରେ ସମସ୍ତ ପ୍ରସ୍ତୁତି ସରିଛି । ମ୍ୟାଚର ସୁପରିଚାଳନା ନେଇ ବ୍ୟାପକ ଭାବରେ ଆଲୋଚନା କରାଯାଇଛି । କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବନ୍ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରଡିସିଙ୍କ ସହ ଓସିଏ ପଦାଧିକାରୀ, କଟକ ଜିଲ୍ଲାପାଳ, ଅତିରିକ୍ତ ପୋଲିସ କମିଶନର ଉପସ୍ଥିତ ଥିଲେ । ଆସନ୍ତା ୭ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ଆର୍ ଡି ସି । ଏନେଇ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା । ମୋଟ ୨୫ ହଜାର ଯାନ ବାହନ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ତଳ ବାଲିଯାତ୍ରା ପଡିଆ ବ୍ୟବହାର ନେଇ ଗ୍ରୀନ ଟ୍ରିବ୍ୟୁନାଲ୍ ବା ଜାତୀୟ ସବୁଜ ପ୍ରାଧିକରଣଙ୍କର କଟକଣା ରହିଥିବା ବେଳେ, ଜରୁରୀକାଳୀନ ପରିସ୍ଥିତିରେ ତଳ ବାଲିଯାତ୍ରା ପଡ଼ିଆରେ ମଧ୍ୟ ପାର୍କିଂ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉପର ଓ ତଳ ବାଲିଯାତ୍ରା ପଡିଆ ଏବଂ ଅନ୍ୟ ତିନୋଟି ସ୍ଥାନରେ ହେବ ପାର୍କିଂ । ଅନ୍ୟ ସମସ୍ତ ସ୍ଥାନ ଭର୍ତ୍ତି ହୋଇଯିବା ପରେ ହିଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରାଯିବ । ଏଭଳି ପରିସ୍ଥିତି ନ ହେଲେ ତଳ ବାଲିଯାତ୍ରା ପଡ଼ିଆ ବ୍ୟବହାର କରାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଅନ୍ୟପଟେ ଚାରି ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଖାଦ୍ୟର ମାନ ନିରୀକ୍ଷଣ କରିବା ପାଇଁ ନିୟୋଜିତ କରାଯିବ । ମ୍ୟାଚ୍ ଦିନ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ଖାଦ୍ୟ ପଦାର୍ଥ ବିକ୍ରି କରାଯିବ ନାହିଁ ବୋଲି କୁହାଯାଇଛି । ଯିଏ ବିକ୍ରି କରିବେ ତାଙ୍କ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଉପ ଜିଲ୍ଲାପାଳଙ୍କ ନେତୃତ୍ଵରେ ଏହାର ଅନୁଧ୍ୟାନ ପାଇଁ ଏକ ଟିମ୍ ଗଠନ କରାଯାଇଛି । ତିନିଟି ସ୍ଥାନରେ ଫ୍ୟାନ୍ସ ପାର୍କ କରାଯାଉଛି । ଯେଉଁ ମାନେ ଟିକେଟ ପାଈ ପାରିବେ ନାହିଁ, ସେମାନେ ଏହି ସ୍ଥାନରେ ମ୍ୟାଚ୍ ଦେଖିବା ପାଇଁ ବଡ ଏଲ ଇ ଡି ସ୍କ୍ରିନ୍ ର ବ୍ୟବସ୍ଥା କରାଯିବ । ତଳ ବାଲିଯାତ୍ରା ପଡ଼ିଆରେ ଦୁଇଟି ସ୍ଥାନ ଓ ସତ୍ୟବ୍ରତ ଷ୍ଟାଡିୟମରେ ଫ୍ୟାନ୍ସ ପାର୍କ ପାଇଁ ବ୍ୟବସ୍ଥା କରାଯାଉଛି । ସୌନ୍ଦର୍ୟ୍ୟକରଣ ତଥା ଆଲୋକିକରଣ ପାଇଁ କଟକ ମହାନଗର ନିଗମକୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।
