ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଫୁଡ ପ୍ରୋ ରେ ୨୨ଟି MoU ସ୍ୱାକ୍ଷରିତ

ଓଡ଼ିଶାକୁ ୩୧,୭୪୮ କୋଟିର ନିବେଶ ପ୍ରତିଶ୍ରୁତି

ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ମିଳିଛି ବଡ଼ ନିବେଶ ପ୍ରତିଶ୍ରୁତି ।  ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଫୁଡ ପ୍ରୋ 2026ରେ ପ୍ରାୟ ୩୧ ହଜାର ୭୪୮ କୋଟି ଟଙ୍କାର ନିବେଶ ପାଇଁ ୨୨ଟି MoU ସ୍ୱାକ୍ଷରିତ । ଏହି ପ୍ରସ୍ତାବିତ ନିବେଶ ଜରିଆରେ ରାଜ୍ୟରେ ୪୨ ହଜାର ୬୭୬ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଫୁଡ ପ୍ରୋ 2026 ର ମୁଖ୍ୟ ଲକ୍ଷ୍ୟ ଥିଲା ଖାଦ୍ୟ ପ୍ରକ୍ରିୟାକରଣ ଓ ଏହା ସହ ଜଡ଼ିତ କ୍ଷେତ୍ରରେ ନୂଆ ନିବେଶ ଆଣିବା । ଦୁଇ ଦିନ ଧରି ଚାଲିଥିବା ଓଡ଼ିଶା ଫୁଡ ପ୍ରୋ ୨୦୨୬ ସମ୍ମିଳନୀରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଜାତୀୟସ୍ତରର ଶିଳ୍ପପତି ଓ ନିବେଶକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ଲୁ ଇକୋନୋମିକ ବିକାଶକୁ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଫୁଡ୍ ପ୍ରୋସେସିଂ ହବ୍ ଭାବେ ଗଢ଼ି ତୋଳିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ନିବେଶ ସମ୍ମିଳନୀରେ ସ୍ୱାକ୍ଷରିତ ୨୨ଟି MoU ମଧ୍ୟରେ ଖାଦ୍ୟ ଓ ପାନୀୟ ପ୍ରକ୍ରିୟାକରଣ, କୃଷିଜାତ ସାମଗ୍ରୀ ପ୍ରକ୍ରିୟାକରଣ, କୋଲ୍ଡ ଚେନ୍, ଲଜିଷ୍ଟିକ୍ସ ଏବଂ ପ୍ୟାକେଜିଂ ଭଳି ବିଭିନ୍ନ କ୍ଷେତ୍ରର ପ୍ରସ୍ତାବ ରହିଛି। ଏଥିରେ ୧୦୦ରୁ ଅଧିକ କମ୍ପାନୀ ଓ ପ୍ରାୟ ୩୦୦ ପ୍ରତିନିଧି ଯୋଗ ଦେଇଥିଲେ। ଶିଳ୍ପ ଜଗତର ବହୁ ବରିଷ୍ଠ ପ୍ରତିନିଧିଙ୍କ ସହ ନିର୍ମଳ କୁମାର ମିଣ୍ଡା ଏବଂ Hexagon Nutritionର ପରିଚାଳନା ନିର୍ଦ୍ଦେଶକ ବିକ୍ରମ କେଲକର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଅବସରରେ ଓଡ଼ିଶାର ଫୁଡ୍ ପ୍ରୋସେସିଂ କ୍ଷେତ୍ରର ସମ୍ଭାବନାକୁ ନେଇ ଏକ ‘ନଲେଜ ରିପୋର୍ଟ’ ମଧ୍ୟ ଉନ୍ମୋଚିତ ହୋଇଛି। ରାଜ୍ୟରେ ଉପଲବ୍ଧ ସମ୍ବଳ, ନିବେଶର ସୁଯୋଗ ଏବଂ ଶିଳ୍ପ ପାଇଁ ଥିବା ଅନୁକୂଳ ପରିବେଶ ସମ୍ପର୍କରେ ଏଥିରେ ବିସ୍ତୃତ ତଥ୍ୟ ରହିଛି। ବିଶେଷକରି ଓଡ଼ିଶାର କୃଷି ଉତ୍ପାଦନ, ମଧୁର ଜଳ ଓ ସାମୁଦ୍ରିକ ମତ୍ସ୍ୟ ସମ୍ପଦ ସହ ଗଭୀର ସମୁଦ୍ରରେ ମାଛ ଧରାର ସମ୍ଭାବନାକୁ ଫୁଡ୍ ପ୍ରୋସେସିଂ ଶିଳ୍ପର ବିସ୍ତାର ପାଇଁ ଏକ ବଡ଼ ସୁଯୋଗ ଭାବେ ଉପସ୍ଥାପନ କରାଯାଇଛି। ନୂଆ ଶିଳ୍ପ ପାଇଁ ଆବଶ୍ୟକ ରାସ୍ତା, ପାଣି ଓ ବିଦ୍ୟୁତ୍ ଭଳି ମୌଳିକ ଭିତ୍ତିଭୂମି ଯୋଗାଇବା ସହ ପ୍ରଶାସନିକ ସ୍ତରରେ ନିବେଶକଙ୍କୁ ସହଯୋଗ କରାଯିବ ବୋଲି ସରକାର ଗୁରୁତ୍ୱ ଦେଇଛନ୍ତି। ୩୧,୭୪୮ କୋଟିର ଏହି ନିବେଶ ପ୍ରତିଶ୍ରୁତି ବାସ୍ତବ ରୂପ ନେଲେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ବଡ଼ ବଳ ମିଳିବା ସହ ରାଜ୍ୟରେ ନିଯୁକ୍ତି ଓ କୃଷିଭିତ୍ତିକ ଶିଳ୍ପର ସମ୍ଭାବନା ଆହୁରି ବଢ଼ିବ।

Leave a Reply

Your email address will not be published. Required fields are marked *