ବାରଙ୍ଗ ଥାନାରେ ନିର୍ଯାତନା ମାମଲା

୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ NHRC

ବାରଙ୍ଗ ଥାନାରେ ନିର୍ଯାତନା ମାମଲାରେ କଟକ ପୋଲିସକୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ । ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC । କଟକ କମିଶନରେଟ୍ ପୋଲିସ ଅଧୀନରେ ଥିବା ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ବେଆଇନ ଭାବେ ଅଟକ ରଖି ଥାର୍ଡ-ଡିଗ୍ରୀ ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି।

ମାନବାଧିକାର କର୍ମୀ ଭଜମନ ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ NHRC କଟକ ଡିସିପିଙ୍କୁ ଏକ ସ୍ପେଶାଲ୍ ନୋଟିସ୍ ଜାରି କରିଛି । ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସର ଏକ କପି ପୋଲିସ ଡିଜିଙ୍କୁ ମଧ୍ୟ ପଠାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ମେ ୧୫ ତାରିଖରୁ ରାକେଶ କୁମାର ବେହେରାଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ। ପୋଲିସ ସନ୍ଦେହରେ ରାକେଶଙ୍କୁ ଉଠାଇ ନେଇ ବାରଙ୍ଗ ଥାନାରେ ୪ ଦିନ ଧରି ଅଟକ ରଖିଥିଲା।

ପତ୍ନୀଙ୍କୁ ହତ୍ୟା କରିଥିବା କଥା ଜବରଦସ୍ତି ସ୍ୱୀକାର କରାଇବା ପାଇଁ ପୋଲିସ ତାଙ୍କୁ ନିର୍ମମ ଭାବେ ପିଟିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା, ରାକେଶଙ୍କ ପତ୍ନୀ ଜୀବିତ ଅଛନ୍ତି ଏବଂ ସେ ଦିଲ୍ଲୀରେ ରହୁଛନ୍ତି। ଏହି ଖୁଲାସା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଭୁଲ୍ ଏବଂ କ୍ଷମତାର ଅପବ୍ୟବହାର ବୋଲି ପ୍ରମାଣିତ ହୋଇଛି।

Leave a Reply

Your email address will not be published. Required fields are marked *