ଏବେ ଘୋଷଣା ହେବନି ନୂଆ ଜିଲ୍ଲା, ବ୍ଲକ୍, ତହସିଲ
୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ନୂଆ ଜିଲ୍ଲା ଗଠନ କରିବାକୁ ବହୁ ବର୍ଷ ହେଲା ଦାବି ହେଉଛି। ବିଜେଡି ସରକାର ଶାସନରେ ଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ। ଏହା ଘୋଷଣାରେ ରହିଗଲା। ବିଜେପି ନିର୍ବାଚନ ପୂର୍ବରୁ ଓ ପରେ କହିଥିଲା, ସରକାରକୁ ଆସିଲେ ଜିଲ୍ଲା ଦାବି ପୂରଣ ହେବ। ହେଲେ ଗତ ଦେଢ଼ ବର୍ଷ ଭିତରେ ହୋଇପାରିଲାନି। ଏବେ ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ ରାଜ୍ୟ ସରକାର ଚାହିଁଲେ ବି ନୂଆ ଜିଲ୍ଲା ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ନାହିଁ। ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ପରିପ୍ରେକ୍ଷୀରେ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଜିଲ୍ଲା, ତହସିଲ, ସହରାଞ୍ଚଳ, ଗ୍ରାମପଞ୍ଚାୟତ ଆଦିର ପ୍ରଶାସନିକ ସୀମା ଧାର୍ଯ୍ୟ କରିବାକୁ ଦିଆଯାଇଛି। ଏହି ସମୟରେ ରାଜ୍ୟ ସରକାର ଚାହିଁଥିଲେ ନୂଆ ଜିଲ୍ଲା ଗଠନ କରିପାରିଥାନ୍ତେ। କିନ୍ତୁ ଏଯାଏଁ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ କେବଳ ଡିସେମ୍ବର ୩୧ ସୁଦ୍ଧା କିଛି ରାଜସ୍ବ ଗ୍ରାମ ଘୋଷଣା ହେବା ସହ ସେ ସଂକ୍ରାନ୍ତ ବିଜ୍ଞପ୍ତିି ପ୍ରକାଶ ପାଇପାରେ।
ପୂର୍ବରୁ ରାଜ୍ୟ ସରକାର ୨୮ଟି ଏନ୍ଏସି , ୭ଟି ମ୍ୟୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ଜନଗଣନା ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ କହିଛନ୍ତି, ରାଜ୍ୟ ସରକାର ଯଦି କିଛି ବି ନୂଆ ରାଜସ୍ବ ଗାଁ, ଏନ୍ଏସି, ମ୍ୟୁନିସିପାଲିଟି, ମହାନଗର ନିଗମ, ବ୍ଲକ୍, ତହସିଲ, ଜିଲ୍ଲା ଆଦି କରିବାକୁ ଚାହୁଁଛନ୍ତି ସମସ୍ତ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ସାରିବାକୁ ହେବ। ଏହି ସମୟ ମଧ୍ୟରେ ଯଦି କୌଣସି ପୌରସଂସ୍ଥାରେ ନୂଆ ଅଞ୍ଚଳ ସାମିଲ୍ କରିବାକୁ ଚାହୁଛନ୍ତି, ନୂଆ ୱାର୍ଡ ଗଠନ କରିବାକୁ ଚାହୁଁଛନ୍ତି ତାକୁ ବି ସାମିଲ କରି ତା’ର ସୀମା ଧାର୍ଯ୍ୟ କରିବାକୁ କୁହାଯାଇଛି। ଏହା ଭିତରେ ଯାହା ସେମାନେ କରିବେ ତା’ର ରିପୋର୍ଟ ଓ ବିଜ୍ଞପ୍ତି ଜନଗଣନା ପ୍ରକ୍ରିୟାରେ ସାମିଲ ହେବ। ଅନ୍ୟଥା ରେକର୍ଡରେ କାର୍ଯ୍ୟକାରୀ କରାଯାଇପାରିବନି।
