ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ
ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଭୟଙ୍କର ବନ୍ୟାରେ ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୧ ଜଣ ତୀର୍ଥଯାତ୍ରୀ ରହିଥିଲେ, ଯେଉଁମାନେ ମାନସରୋବର ଯାତ୍ରା କରୁଥିଲେ । ଏହାର ସୂଚନା ନେପାଳ ପର୍ଯ୍ୟଟକ ବୋର୍ଡ ଦେଇଛି ।ବୋର୍ଡ ତରଫରୁ ନିଖୋଜ ଥିବା ଭାରତୀୟ ତୀର୍ଥଯାତ୍ରୀଙ୍କୁ ଖୋଜା ଚାଲିଛି । ପ୍ରାୟ ୪୦୦ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ଭିତରେ ୨୯୧ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ୩୭ ଜଣ ଏନଆରଆଇ ପର୍ଯ୍ୟଟକ ରହିଛନ୍ତି । ଅନ୍ୟମାନଙ୍କ ଭିତରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ସଂଯୁକ୍ତ ରାଷ୍ଟ୍ର ଆମେରିକା, ମାଲେସିଆ, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ଦକ୍ଷିଣ ଆଫ୍ରିକାର ନାଗରିକ ରହିଛନ୍ତି ।
