ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ସାଂସଦଙ୍କୁ ଚିଠି ଲେଖିଲେ ନବୀନ
ସାଂସଦଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ସୀମା ପୁନଃନିର୍ଦ୍ଧାରଣ ବିଲ୍ ଉପରେ ଚିଠି ଲେଖିଛନ୍ତି । ସଂସଦ ଭିତରେ ଓ ବାହାରେ ଦୃଢ଼ ସ୍ବର ଉଠାଇବାକୁ ଅପିଲ୍ କରିଛନ୍ତି । ସୀମା ପୁନଃନିର୍ଦ୍ଧାରଣ ଦ୍ବାରା ରାଜନୈତିକ ପ୍ରଭାବ ହ୍ରାସ ପାଇବ । ସଂସଦରେ ସ୍ବର ଦୁର୍ବଳ ହେଲେ ବିକାଶ ପ୍ରଭାବିତ ହେବ । ଦଳଗତ ନିର୍ବିଶେଷରେ ସମସ୍ତେ ସ୍ବର ଉଠାଇବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ଲୋକସଭାରେ ଓଡ଼ିଶାର ଅଂଶଧନ କମିବ, ଏହା ୩.୯ ପ୍ରତିଶତରୁ ୩.୪ପ୍ରତିଶତକୁ କମିବ ବୋଲି ନବୀନ ଚିଠିରେ ଲେଖିଛନ୍ତି । ଓଡ଼ିଶା ଭଳି ରାଜ୍ୟଗୁଡ଼ିକୁ ଜାତୀୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା କୋଣଠେସା କରିବାର ଆଶଙ୍କା ରହିଛି । ଲୋକସଭାରେ ଓଡ଼ିଶାର ସ୍ୱର କମିଗଲେ ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଜନଜାତି କଲ୍ୟାଣ ଏବଂ ଆଞ୍ଚଳିକ ବିକାଶ ପର୍ଯ୍ୟନ୍ତ ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ସ୍ବର ଦୁର୍ବଳ ହୋଇଯିବ । ଲୋକସଭାରେ ଓଡ଼ିଶାର ଅଂଶଧନ ୩.୯% ରୁ ୩.୪% କୁ ହ୍ରାସ ପାଇଲେ ସର୍ବାଧିକ ଅଂଶ ହରାଉଥିବା ଶୀର୍ଷ ୬ଟି ରାଜ୍ୟ ମଧ୍ୟରେ ସାମିଲ ହୋଇଯିବ ଓଡ଼ିଶା । ଓଡ଼ିଶାବାସୀଙ୍କ ପାଇଁ ସଂସଦରେ ପ୍ରତିନିଧିତ୍ୱ କେବଳ ସଂଖ୍ୟା ନୁହେଁ ଏହା ସ୍ୱତନ୍ତ୍ର ଇତିହାସ, ଭାଷା ଏବଂ ଆକାଂକ୍ଷାକୁ ସର୍ବୋଚ୍ଚ ସ୍ତରରେ ଶୁଣାଯିବାର ପରିଚୟ, ଗର୍ବ ଏବଂ ନିଶ୍ଚିତତା । ଜାତୀୟ ସ୍ତରରେ ଓଡ଼ିଶାର ଉପସ୍ଥିତିକୁ କମ୍ କରୁଥିବା ଯେକୌଣସି ପଦକ୍ଷେପ ଓଡ଼ିଶା ପାଇଁ ବିପଦ । ଏହାସହ ଓଡ଼ିଶା ଭଳି ରାଜ୍ୟ, ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ମାନବ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ସେମାନଙ୍କୁ ଏଥିପାଇଁ ଦଣ୍ଡିତ କରାଯାଉଥିବା ନବୀନ ଲେଖିଛନ୍ତି ।
