କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣା, ମୋହନ ସରକାରଙ୍କୁ ଚିଠି ଲେଖିଲେ ନବୀନ
କୋଟିଆକୁ ନେଇ ପୁଣି ତେଜିଲା ରାଜନୀତି। କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଇବାକୁ ଘୋଷଣା କରିଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ନବୀନ। ଚିଠିରେ ନବୀନ କହିଛନ୍ତି, ଅତୀତରେ ବିଜେପି ନେତାମାନେ କୋଟିଆ ଓଡ଼ିଶାର ବୋଲି ଦାବି କରିବା ସହ ‘ଆନ୍ଧ୍ର ଫେରିଯାଅ’ ସ୍ଲୋଗାନ ଦେଇଥିଲେ।
୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ଇସ୍ତାହାରରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେଲେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ଓ ଓଡ଼ିଶାର ସୀମା ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ଡବଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ ଆନ୍ଧ୍ର କୋଟିଆରେ ନିର୍ବାଚନ କରାଇବାକୁ ଘୋଷଣା କରିବା ଚିନ୍ତାଜନକ ବୋଲି ନବୀନ କହିଛନ୍ତି। ବିଜେପିର ପୂର୍ବ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।୨୦୨୫ରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟିର ସୁପାରିସ କ’ଣ ଥିଲା ଏବଂ ତାହାକୁ କାର୍ଯ୍ୟକାରୀ କରିବାକୁ କେଉଁ ପଦକ୍ଷେପ ନିଆଯାଇଛି, ତାହାର ଉତ୍ତର ମଧ୍ୟ ଦାବି କରିଛନ୍ତି ନବୀନ। ସେପଟେ ନବୀନଙ୍କୁ କଡ଼ା ଜବାବ ଦେଇ ବିଜେପି କହିଛି, ୨୪ ବର୍ଷ ହେଲା ନବୀନ କେବଳ ଚିଠି ଲେଖୁଛନ୍ତି । ଜୀବନରେ କୌଣସି ସମସ୍ୟାର ବାସ୍ତବ ସମାଧାନ କରିନାହାନ୍ତି । ବିଜେପି ସରକାର ଘଟଣା ନେଇ ସମ୍ବେଦନଶୀଳ ଅଛନ୍ତି । ଏଣୁ ବିରୋଧୀ ଦଳ ନେତା ଚିନ୍ତା କରିବାର ଆବଶ୍ୟକତା ନାହିଁ ।
