ନୂତନ ପାଠ୍ୟପୁସ୍ତକରେ ପ୍ରିଣ୍ଟିଂ ତ୍ରୁଟି ଥିବା ଅଭିଯୋଗକୁ ସ୍ବାକାର କରିଛନ୍ତି ମନ୍ତ୍ରୀ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ରହିଛି ଅନେକ ତ୍ରୁଟି। ପାଖାପାଖି ୧୭ଶହଟି ଭୁଲ୍ ଥିବା ପରିଲକ୍ଷିତ ହୋଇଛି। ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ପାଠ୍ୟପୁସ୍ତକ। ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବହିରେ ଅନେକ ତ୍ରୁଟି ରହିଥିବା ଜଣାପଡିଛି।ଅନେକ ସ୍ଥାନରେ ବନାନ ଭୁଲ ରହିଛି ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ ଲେଖାଯାଇଛି। ଓଡ଼ିଶା ବିଧାନସଭା ଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫଟୋ ସ୍ଥାନ ପାଇଛି। ଓଡ଼ିଶାର ନିୟମଗିରିକୁ ଝାଡଖଣ୍ଡର ନିଗମଗିରି ଲେଖାଯାଇଛି। ଡଙ୍ଗରିଆ ଜନଜାତିଙ୍କୁ ଡୋଙ୍ଗାରିଆ ଓ ଗଂଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ଲେଖାଯାଇଛି। ଏହିଭଳି ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ମୋଟ ୧୬୭୮ଟି ଭୁଲ ଚିହ୍ନଟ କରାଯାଇଛି।ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ ଭୁଲ ରହିଛି। ନୂତନ ପାଠ୍ୟପୁସ୍ତକରେ ପ୍ରିଣ୍ଟିଂ ତ୍ରୁଟି ଥିବା ଅଭିଯୋଗକୁ ସ୍ବାକାର କରିଛନ୍ତି ମନ୍ତ୍ରୀ। କହିଛନ୍ତି ପାଠ୍ୟପୁସ୍ତକରେ ତ୍ରୁଟି ନେଇ ସରକାର ଅବଗତ ଅଛନ୍ତି। ଏହାକୁ ସଂଶୋଧନ କରାଯିବ ଏବଂ ଶିକ୍ଷକମାନଙ୍କୁ ଭୁଲ ଗୁଡିକୁ ସଂଶୋଧନ କରି ପିଲାଙ୍କୁ ପଢାଇବାକୁ କୁହାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
