୧୫ ହଜାରରୁ ବଢି ୨୫,୦୦୦ ହେଲା ବେତନ ସୀମା
EPFO Rules ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ନେଇ କେନ୍ଦ୍ର କ୍ୟାବିନେଟ୍ ବଡ଼ ନିଷ୍ପତ୍ତି ନେଇଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ଅଧୀନରେ ବାଧ୍ୟତାମୂଳକ କଭରେଜ୍ ପାଇଁ ମାସିକ ବେତନ ସୀମା ୧୫ ହଜାରରୁ ବଢ଼ାଇ ୨୫ ହଜାର ଟଙ୍କାକୁ କରାଯାଇଛି । ଏହି ନିଷ୍ପତ୍ତି ଫଳରେ ୫୧ ଲକ୍ଷରୁ ଅଧିକ ଅତିରିକ୍ତ କର୍ମଚାରୀ EPFOର ବାଧ୍ୟତାମୂଳକ କଭରେଜ୍ ପରିସରକୁ ଆସିବେ ବୋଲି ଆକଳନ କରାଯାଇଛି । ଫଳରେ ଅଧିକ କର୍ମଚାରୀ ଭବିଷ୍ୟନିଧି ସଞ୍ଚୟ ସହ ପେନସନ ଓ ବୀମା ଭଳି ସାମାଜିକ ସୁରକ୍ଷା ସୁବିଧାର ପରିସରକୁ ଆସିପାରିବେ ।ପୂର୍ବରୁ EPFOର ବାଧ୍ୟତାମୂଳକ କଭରେଜ୍ ପାଇଁ ବେତନ ସୀମା ମାସିକ ୧୫ ହଜାର ରହିଥିଲା । ଏବେ ଏହାକୁ ୧୦ ହଜାର ବଢ଼ାଇ ୨୫ ହଜାର କରାଯାଇଛି । ବେତନ ସୀମା ବୃଦ୍ଧି ଯୋଗୁଁ ବର୍ତ୍ତମାନ EPFOର ବାଧ୍ୟତାମୂଳକ ପରିସର ବାହାରେ ଥିବା ବହୁ କର୍ମଚାରୀ ଏହା ଅଧୀନକୁ ଆସିବେ । ଏହି ନିଷ୍ପତ୍ତି ଯୋଗୁଁ ସରକାରଙ୍କ ବାର୍ଷିକ ଖର୍ଚ୍ଚ ପ୍ରାୟ ୧୧ ହଜାର ୩୩୯ କୋଟି ହେବ ବୋଲି ଆକଳନ କରାଯାଇଛି ।ଇପିଏଫ୍ଓ କଭରେଜ୍ ବଢ଼ିବା ସହ କର୍ମଚାରୀଙ୍କ ସାମାଜିକ ସୁରକ୍ଷାର ପରିସର ମଧ୍ୟ ବଢ଼ିବ । ନିୟମ ଅନୁସାରେ ଇପିଏଫ୍ ମାଧ୍ୟମରେ ଅବସର ପାଇଁ ସଞ୍ଚୟ, କର୍ମଚାରୀଙ୍କ ପେନସନ ଯୋଜନା (ଇପିଏସ୍) ଅଧୀନରେ ପେନସନ୍ ସୁରକ୍ଷା ଏବଂ ଡିପୋଜିଟ୍ ଲିଙ୍କଡ୍ ଇନସ୍ୟୁରାନ୍ସ ସ୍କିମ୍ ( EDLI) ଯୋଜନା ଅଧୀନରେ ବୀମା ସୁରକ୍ଷା ଭଳି ସୁବିଧା ମିଳିପାରିବ।
