ବାମନ ବେଶରେ ଦର୍ଶନ ଦେବେ ମହାବାହୁ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

 ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ବେଶ। ବଳି ବାମନ ବେଶରେ ଆଜି ଦର୍ଶନ ଦେବେ ଶ୍ରୀଜୀଉ। କାଲି ସୁନିଆରେ ସ୍ଵତନ୍ତ୍ର ନୀତିକାନ୍ତି ପରେ ଆଜି ମହାବାହୁଙ୍କ ଏକ ଅନନ୍ୟ ବେଶ ଅନୁଷ୍ଠିତ ହେବ । ତେବେ ଶ୍ରୀମନ୍ଦିର ରୀତି ଅନୁଯାୟୀ ବାମନ ବେଶରେ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବାକୁ ଥିବା ବେଳେ ବଡ଼ଭାଇ ଶ୍ରୀବଳଭଦ୍ର ବଳି ରାଜ ବେଶ ଧାରଣ କରିବା ସହ ଦେବୀ ସୁଭଦ୍ରା ରାଜା ବଳିଙ୍କ ପତ୍ନୀ ବିନ୍ଧ୍ୟା ବଳି ବେଶରେ ସଜ୍ଜିତ ହେବେ | ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦ୍ବିପ୍ରହର ଧୂପ ବଢିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ । ଭଗବାନ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜାଙ୍କୁ ପାତାଳରେ ଚାପି ଦେଇଥିଲେ। ମହାପ୍ରଭୁଙ୍କ ଦଶ ଅବତାର ମଧ୍ୟରୁ ପଞ୍ଚମ ଅବତାର ହେଉଛି ବାମନ ଅବତାର । ଏହି ବେଶ ରମଣିୟ ହୋଇଥିବା ବେଳେ ପୁଷ୍ପାଳକ ଓ ସିଂହାରୀ ସେବକ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରିବେ। ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।