ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ମହାବାହୁ
ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ମହାବାହୁ । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ବାହୁଡ଼ା ଯାତ୍ରା ପରେ ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିବ ରଥଯାତ୍ରାର ଅନ୍ୟତମ ଦିବ୍ୟ ଓ ଅପୂର୍ବ ଦୃଶ୍ୟ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିରାଜ ବେଶ । ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ରଥ ଉପରେ ଅପରାହ୍ଣ ୫ଟାରୁ ୬ଟା ୩୦ ଟା ମଧ୍ୟରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତ୍ରି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଆଷାଢ଼ ଶୁକ୍ଳ ଏକାଦଶୀରେ ଅନୁଷ୍ଠିତ ଏହି ଦିବ୍ୟ ବେଶକୁ ବଡ଼ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ ।
