ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ୧୩ ଦିନ ବିତିଗଲାଣି । ଏହା ଭିତରେ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚିଙ୍କ ମଧ୍ୟରେ ହୋଇଥିବା ଫୋନ କଥାବାର୍ତ୍ତା ପରେ ଇରାନ ଭାରତୀୟ ଟ୍ୟାଙ୍କରଗୁଡ଼ିକୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ସୁରକ୍ଷିତ ଯିବାକୁ ଅନୁମତି ଦେଇଛି ।ଖବର ମୁତାବକ, ବୈଦେଶିକ ମନ୍ତ୍ରୀ ଇରାନର ଆରାଘଚିଙ୍କ ସହ କଥାବାର୍ତ୍ତା କରିବା ପରେ ଇରାନ ଭାରତୀୟ ତୈଳ ଟ୍ୟାଙ୍କରଗୁଡ଼ିକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେଇଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କେବଳ ଇରାନ ସହିତ ନୁହେଁ ବରଂ ଅନ୍ୟାନ୍ୟ ପ୍ରମୁଖ ବିଶ୍ୱ ଶକ୍ତି ସହିତ ମଧ୍ୟ ସମନ୍ୱୟ ସ୍ଥାପନ କରିଛନ୍ତି । ସେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏବଂ ଫରାସୀ ବୈଦେଶିକ ମନ୍ତ୍ରୀ ଜିନ୍-ନୋଏଲ୍ ବାରୋଙ୍କ ସହିତ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।ଆମେରିକା, ୟୁରୋପ ଏବଂ ଇସ୍ରାଏଲର ଜାହାଜଗୁଡ଼ିକ ଏହି ରାସ୍ତାରେ କଠୋର କଟକଣାର ସମ୍ମୁଖୀନ ହେଉଥିବା ସମୟରେ ଇରାନ ଭାରତକୁ ଏହି ସ୍ୱତନ୍ତ୍ର ଛାଡ ଦେଇଛି । ଭାରତକୁ ଛାଡ ପ୍ରଦାନ କରି ଇରାନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଆମେରିକା, ୟୁରୋପ ଏବଂ ଇସ୍ରାଏଲର ଜାହାଜ ଉପରେ କଟକଣା ଜାରି ରହିବ, ଭାରତୀୟ ଟ୍ୟାଙ୍କରଗୁଡ଼ିକ ସୁରକ୍ଷିତ ଭାବରେ ହର୍ମୁଜ୍ ଦେଇ ପରିବହନ କରିପାରିବେ ।
