ଆଜି ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକ
ଭାରତ-ପାକିସ୍ତାନ ଯୁଦ୍ଧ ବିରତି ପରେ ଆଜି ପୁଣି ଥରେ ଡିଜିଏମଓ ସ୍ତରୀୟ ବୈଠକ ହେବ। ଏହି ଆଲୋଚନା ଦିନ ୧୨ଟାରେ ହେବ । ଏହା ଉପରେ ସାରା ବିଶ୍ବର ନଜର ରହିଛି। ପୂର୍ବରୁ ଶନିବାର ଡିଜିଏମଓ ସ୍ତରୀୟ ବୈଠକରେ ଯୁଦ୍ଧ ବିରତି ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ଶନିବାର ଭାରତୀୟ ସମୟ ଅପରାହ୍ଣ ୫ଟାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହୋଇଛି । ଏପଟେ ଯୁଦ୍ଧ ବିରତି ଲାଗୁ ପରେ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକ୍ ଗତିବିଧି ଉପରେ ସତର୍କ ନଜର ରଖାଯାଇଛି ଏବଂ ଯୁଦ୍ଧ ବିରତି ଉଲ୍ଲଂଘନ ସ୍ଥିତିରେ କଡ଼ା ଜବାବ ଦେବାକୁ ସେନା ପ୍ରସ୍ତୁତ ରହିଛି। ସହମତି ଉଲଂଘନ କଲେ ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ WESTERN BORDER କମାଣ୍ଡରଙ୍କୁ ସ୍ଥଳ ସେନା ମୁଖ୍ୟ ଗ୍ରୀନ ସିଗନାଲ ଦେଇଛନ୍ତି। ପାକିସ୍ତାନ ପଟୁ ଗୁଳିର ଜବାବ ଗୋଳାରେ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସେନାମୁଖ୍ୟଙ୍କ ସହ ବୈଠକରେ କହିଛନ୍ତି । ସେହିପରି ସୀମା ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି।
