ବାରବାଟୀ ଷ୍ଟାଡିୟମ ନିକଟରେ ଜମିଛି ଅସମ୍ଭାଳ ଭିଡ଼

ବାରବାଟୀ ଟିକଟ ପାଇଁ ଅସମ୍ଭାଳ ଭିଡ଼: ନିଷ୍ପତ୍ତି ବଦଳାଇ ବ୍ୟାରିକେଡ୍‌ରେ ଛାଡ଼ିଲା ପୁଲିସ

ବାରବାଟୀରେ ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚର ଟିକଟ କିଣିବାକୁ ଆଜି ରାତିରୁ ଷ୍ଟାଡିୟମ ନିକଟରେ ଜମିଛି ଅସମ୍ଭାଳ ଭିଡ଼। ଆଜି ସକାଳ ୬ଟାରେ ବ୍ୟାରିକେଡ୍‌ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୁଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲେ ବି ଅସମ୍ଭାଳ ଭିଡ଼କୁ ନଜରରେ ରଖି ଗତକାଲି ରାତି ପ୍ରାୟ ୧୧ଟା ୩୦ ସମୟରେ ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍‌ ଭିତରକୁ ଛାଡ଼ିଛି। ୫୦ ଜଣ ଲେଖାଏଁ ‌ଲୋକଙ୍କୁ ଗ୍ରୁପ୍‌ କରି ବ୍ୟାରିକେଡ୍‌ ଭିତରକୁ ଛଡ଼ାଯାଉଛି। ଅନ୍ୟପଟେ ଏଥର ଟିକଟ କଳାବଜାର ରୋକିବାକୁ କମିସନରେଟ୍ ପୁଲିସ ବାରବାଟୀ ଚାରିପଟେ ଡ୍ରୋନ୍ କ୍ୟାମେରା ଉଡ଼ାଇବାକୁ ନିଷ୍ପତ୍ତି ନେଇଛି। ଗଳି କନ୍ଦିରେ ଯେଉଁଠି ଟିକଟ କଳାବଜାର କରାଯିବ ଏହା ଉପରେ ନଜର ରଖିବା ସହିତ କୌଣସି ଅପ୍ରୀତିକର ପରିସ୍ଥିତି ହେଲେ ଏହା ଉପରେ ନଜର ରଖାଯିବ।

ଏଥର କ୍ରିକେଟ୍‌ ମ୍ୟାଚ୍‌ ପାଇଁ ୩୦୦ ସିସି କ୍ୟାମେରା ଲାଗିଥିବା ବେଳେ ପଡ଼ିଆ ବାହାରେ ଟିକଟ କାଉଣ୍ଟର୍‌, ବ୍ୟାରିକେଡ୍ ନିକଟରେ ୬୪ କ୍ୟାମେରା ଲଗାଯାଇଛି। ସମସ୍ତ କ୍ୟାମେରାକୁ ଓସିଏ କଣ୍ଟ୍ରୋଲ୍‌ ରୁମ୍‌ରୁ ନିୟନ୍ତ୍ରଣ କରାଯିବ। ଚକ୍ଷୁ ହସ୍‌ପିଟାଲ ସାମନା ପଡ଼ିଆ ଓ ପାଣିଟାଙ୍କି ସାମନାରେ ଦୁଇଟି ପ୍ରୋଜେକ୍ଟରରେ ବାହାର କ୍ୟାମେରାର ଦୃଶ୍ୟ ସିଧାସଳଖ ପ୍ରସାରିତ ହେଉଛି। କାଉଣ୍ଟର୍‌ରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ ଟିକଟ ବିକ୍ରି ପାଇଁ ଏଭଳି କରାଯାଇଥିବା କୁହାଯାଉଛି। ହଜାର ହଜାର କ୍ରିକେଯ୍‌ ପ୍ରେମୀ ଷ୍ଟାଡିୟମ ନିକଟରେ ରାତିରେ ଏକାଠି ହୋଇ ଶିଳ୍ପ ନିର୍ଦ୍ଦେଶାଳୟ ପଡ଼ିଆରେ ହୋଇଥିବା ବ୍ୟାରିକେଡ୍‌ରେ ପଶି ଧାଡ଼ିରେ ଛିଡ଼ାହେବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ପ୍ରଥମେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ନିକଟକୁ ଘଉଡ଼ାଇଥିଲା। ସେଠାରେ ସମସ୍ତେ ଏକାଠି ହୋଇ ପାଟିତୁଣ୍ଡ କରିବାରୁ ପରେ କ୍ୟାଣ୍ଟନମେଣ୍ଟ ଛକ ନିକଟକୁ ଘଉଡ଼ାଇ ନେଇଥିଲା ପୁଲିସ। କିନ୍ତୁ ଭିଡ଼ ବଢ଼ିବାରୁ ରାତି ପ୍ରାୟ ୧୧ଟା ୩୦ ବେଳକୁ ପୁଲିସ ସେମାନଙ୍କୁ ଭିତରକୁ ପର୍ଯ୍ୟାୟକ୍ରମେ ଛାଡ଼ିଥିଲା। ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।