ଗ୍ରୀନ୍ ଷ୍ଟିକର ସବୁ RTOରେ ଖୋଲାହେବ ସ୍ପେଶାଲ୍ କାଉଣ୍ଟର

ଜାନୁଆରୀ ୧୦ ରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଜାନୁଆରି ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ । ତେବେ ଆପଣ ଜାଣିଥିବେ ବର୍ତ୍ତମାନ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଗାଡ଼ିଚାଳକମାନେ ଟେନସନରେ ଅଛନ୍ତି । ଆଉ ଏହାରି ଭିତରେ ପରିବହନ ବିଭାଗ କରିଛି ବଡ଼ ଘୋଷଣା । ଓଡ଼ିଶା ପରିବହନ ବିଭାଗ ଘୋଷଣା କରିଛି ଯେ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରି ୨୦୨୬ ଠାରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍‌ ଉପଲବ୍ଧ ହେବ।

ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଏହି ସବୁଜ ଷ୍ଟିକର୍‌ ପାଇପାରିବେ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ବୈଧ PUCC ଥିବା ଯାନବାହାନଗୁଡ଼ିକୁ ହିଁ ସବୁଜ ଷ୍ଟିକର୍‌ ପ୍ରଦାନ କରାଯିବ। ଷ୍ଟିକର୍‌ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍‌ରେ ଥିବା ରେକର୍ଡକୁ ଯାଞ୍ଚ କରିବେ।