ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି

୧୫ ବ୍ଲକ୍‌ର ୧୫୪ ପଞ୍ଚାୟତ ପ୍ରଭାବିତ

ଲଘୁଚାପ କାରଣରୁ ଲଗାଣବର୍ଷା ପ୍ରଭାବରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଉଛି। ଦୁଇ ଜିଲ୍ଲାର ସବୁ ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, କାଂଶବାଂଶ, ସୋନ, ବୈତରଣୀ, ରେବ, କପାଳୀ, ସାଳନ୍ଦୀ ନଦୀର ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ଦେଖାଦେଇଛି। ଦୁଇ ଜିଲ୍ଲାର ୧୫ ବ୍ଲକ୍‌ର ୧୫୪ ପଞ୍ଚାୟତର ପ୍ରାୟ ୭୧୧ ଗାଁ ପ୍ରଭାବିତ ହୋଇଛି।

ବାଲେଶ୍ବର ଜିଲ୍ଲାର ପ୍ରାୟ ସବୁନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛନ୍ତି। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୧୧.୦୯ ମିଟର, ବୁଢ଼ାବଳଙ୍ଗ ନଦୀର ଏନ୍‌ଏଚ୍‌- ୫ଠାରେ ବିପଦ ସଂକେତ ୮.୧୩ ମିଟର ଉପରେ ୮.୨୭ ମିଟର, ଜଳକାରେ ବିପଦ ସଂକେତ ୬.୫୦ ମିଟର ଉପରେ ୬.୭୬ ମିଟର, କାଂଶବାଂଶ ନଦୀର ବିପଦ ସଂକେତ ୭.୫୦ ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭.୯୬ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ବର ଉବୁଟୁବୁ ହେଉଛି। ଗାଲୁଡିହ ବ୍ୟାରେଜ୍‌ର ଉଦ୍‌ବୃତ୍ତ ଜଳ ଓ ଅବବାହିକା ଅଞ୍ଚଳର ବର୍ଷାଜଳ ନଦୀରେ ମିଶିବା ପରେ ବନ୍ୟାସ୍ଥିତି ଜଟିଳ ହେଉଛି।

Leave a Reply

Your email address will not be published. Required fields are marked *