ହଟିବ ଗରିବଙ୍କ ଆବାସ ଦୁଃଖ

୨ ଲକ୍ଷ ୯୧ ହଜାରରୁ ଅଧିକ ପକ୍କା ଘର ବଣ୍ଟନ

ଓଡ଼ିଶା ପାଇଁ ୪ ଲକ୍ଷ ନୁହେଁ, ୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ବା PMAY-G ଘର ମଞ୍ଜୁରି କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଶିବରାଜ ସିଂହ ଚୌହାନ କହିଛନ୍ତି, ୪ ଲକ୍ଷ ଘର ଯଥେଷ୍ଟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମତ ପ୍ରକାଶ ପାଇବା ପରେ ୫ ଲକ୍ଷ ଘର ମଞ୍ଜୁରି ଦେବାର ନିଷ୍ପତ୍ତି ନିଆଯାଇଛି।ଓଡ଼ିଶାର କୌଣସି ଗରିବ ପରିବାର କଚ୍ଚା ଘରେ ରହିବେ ନାହିଁ । ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି। ଏହି ଅବସରରେ ପୂର୍ବ ବିଜେଡି ସରକାରଙ୍କ ବିରୋଧରେ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ। ତାଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ପକ୍କା ଘର ଥିବା କେତେକ ବ୍ୟକ୍ତିଙ୍କ ନାଁ ହିତାଧିକାରୀ ତାଲିକାରେ ସାମିଲ କରାଯାଇଥିଲା ।ଅନେକ ଯୋଗ୍ୟ ଗରିବ ପରିବାର ଯୋଜନାରୁ ବଞ୍ଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହଯୋଗରେ ଓଡ଼ିଶାର ଯୋଗ୍ୟ ଗରିବ ପରିବାରଙ୍କୁ ପକ୍କା ଘର ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏବେ ନଜର ରହିବ ୫ ଲକ୍ଷ ଘର ପାଇଁ ମଞ୍ଜୁରି ପ୍ରକ୍ରିୟା, ହିତାଧିକାରୀ ଚୟନ ଏବଂ ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ ଉପରେ। ଘୋଷଣା ଅନୁସାରେ ଯୋଗ୍ୟ ପରିବାରଙ୍କ ନିକଟରେ ଏହି ସୁବିଧା କେବେ ପହଞ୍ଚିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *