ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଲୋକଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରସ୍ଥିତ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ପତ୍ନୀ ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ସେହିପରି ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।ଲୋକଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଥିଲେ । ଏହାପରେ ଉଭୟ କିଛି ସମୟ ଧରି ଆଲୋଚନା କରିଥିଲେ । ତେବେ ଏହି ସାକ୍ଷାତ ସମୟରେ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି, ସେନେଇ କୌଣସି ସରକାରୀ ସୂଚନା ମିଳିନାହିଁ । ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଛି । ରାଜ୍ୟର କୌଣସି ପ୍ରଶାସନିକ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ସେପଟେ ଏହି ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ପୁଣି ଜୋର ଧରିଛି।
