ଜଳଗର୍ଭରେ ବ୍ୟାସ ସରୋବର !

ଚଳୁ ହେଇଯିବ କି ୫୭କୋଟିର ପ୍ରୋଜେକ୍ଟ !

ବନ୍ୟା ପାଣିରେ ଉବୁଟୁବୁ ଯାଜପୁର, ତେବେ ଜିଲ୍ଲାର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ ଥିବା ବେଳେ ଥରେ ନଜର ପକାନ୍ତୁ ଏହି ଅଞ୍ଚଳ ଉପରେ। ଦେଖିଲେ ତ, ଏହା ହେଉଛି ଯାଜପୁର ଜିଲ୍ଲାର କିମ୍ବଦନ୍ତୀ ଓ ଐତିହ୍ୟ ସମ୍ପନ୍ନ ପୀଠ ବ୍ୟାସ ସରୋବର। ଯାହା ଏବେ ସଂପୂର୍ଣ୍ଣ ଭାବେ ଜଳମୟ ହୋଇପଡିଛି। ଏମିତି ଲାଗୁଛି ସତେ ଯେମିତି ମହାପ୍ରଳୟର ମହାଗ୍ରାସରେ ଲୀନ ହୋଇଛି ବ୍ୟାସ ସରୋବର। ତେବେ ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ଖରସ୍ରୋତା ନଦୀର ଜଲସ୍ତର ବୃଦ୍ଧି ଯୋଗୁଁ ଏହି ନଦୀ କୂଳ ଲଙ୍ଘି ଗାଁ ଗଣ୍ଡାକୁ ମାଡ଼ି ଚାଲିଲା। ଆଉ ଶେଷରେ ପାଣିରେ ବୁଡ଼ିଲା ବହୁ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ସ୍ଥିତ ରାଘୁଜୀ ଗୋସେଇଁଙ୍କ ମନ୍ଦିର l

ଯାହାକୁ ଦେଖିଲା ପରେ ଜିଲ୍ଲାପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମଧୁଚନ୍ଦ୍ରିକା ପଦାରେ ପଡ଼ିଛି। ପ୍ରସିଦ୍ଧ ବ୍ୟାସ ସରୋବରର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟୟ ବରାଦ ହୋଇଥିଲା 57 କୋଟି ଟଙ୍କା l ମାତ୍ର ଏହି ପ୍ରୋଜେକ୍ଟ ଠିକ ସେ ନହେବା ଫଳରେ ଖରସ୍ରୋତା ନଦୀର ପାଣି ପଶି ଅନେକ କ୍ଷୟକ୍ଷତି ହେଇଥିବା ଦେଖିବାକୁ ମିଳିଛି l ପାଣି ପଶିଯିଵା ଯୋଗୁଁ ରାଘୁଜୀ ଗୋସେଇଁଙ୍କ ମନ୍ଦିର ବୁଡି ଯିବା ସହ ପାଚେରୀ ମଧ୍ୟ ଭାଙ୍ଗି ଯାଇଛି l ପର୍ଯ୍ୟଟନ ସ୍ଥଳିରେ ଲାଗିଥିବା 4 ରୁ 5 ହଜାର ଗଛ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଛି l ତେବେ ଟେଣ୍ଡର ନେଇଥିବା ଏମବିସିସି କମ୍ପାନୀ ଅକ୍ଟୋବର ଦୁଇ ତାରିଖ ସୁଦ୍ଧା କାମ ସାରିବାକୁ ଥିବା ବେଳେ ଏପରି ନିମ୍ନମାନର କାମ, ସବୁ କେଳେଙ୍କରୀକୁ ପଦାରେ ପକେଇଛି।

ତେବେ ୧୦୫ ଏକର ବିଶିଷ୍ଟ ଏହି ସ୍ଥାନରେ ୫୭ କୋଟିର ପ୍ରୋଜେକ୍ଟ, ସବୁ ଯେମିତି ବନ୍ୟା ଜଳରେ ଧୋଇ ହୋଇଯାଇଛି। କାହିଁକି ଏବାବଦରେ ଜିଲ୍ଲାପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ସଂପୃକ୍ତ କମ୍ପାନୀ ସଜାଗ ନହେଲେ ସେନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। କିଏ ରହିବ ଏହାର ଉତ୍ତର ଦୟୀ, ନା ଚଳୁ ହୋଇଯିବ ୫୭ କୋଟି। ଏନେଇ ଉଠିଛି ବଡ଼ ପ୍ରଶ୍ନବାଚୀ।