କଳାବଜାରୀଙ୍କ ଉପରେ ରହିବ ନଜର

ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କଳାବଜାରୀଙ୍କ ଉପରେ ରହିବ ନଜର । ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ଜରୁରୀ ସାମଗ୍ରୀର ଯୋଗାଣ ପାଇଁ ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲାପାଳମାନଙ୍କ ସହ ବୈଠକ କରିଛନ୍ତି । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂରେ ସମସ୍ତ ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଆଗକୁ କୌଣସି ପ୍ରକାର ବାଧାବିଘ୍ନ ଉପୁଜିଲେ ମଧ୍ୟ ଯୋଗାଣ ଶୃଙ୍ଖଳାକୁ କିଭଳି ବଜାୟ ରଖାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ଯେକୌଣସି ପରିସ୍ଥିତିରେ ବି ଖାଦ୍ୟଶସ୍ୟ, ଔଷଧ ଏବଂ ପେଟ୍ରୋଲ, ଡିଜେଲ ଭଳି ଜରୁରୀ ସାମଗ୍ରୀ ଯେପରି ଲୋକଙ୍କୁ ସହଜରେ ମିଳିପାରିବ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି ନିରନ୍ତର ଯୋଗାଣ ।ସାମଗ୍ରୀର ଅଭାବ ଏଡାଇବାକୁ ପ୍ରତି ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ସୁରକ୍ଷିତ ଭାବେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିନିଷପତ୍ରର ଅଯଥା ଦରବୃଦ୍ଧି ଏବଂ ବେଆଇନ ମହଜୁଦକାରୀଙ୍କ ଉପରେ କଡ଼ା ନଜର ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ମୁଖ୍ୟ ରାସ୍ତାଘାଟ ବନ୍ଦ ହୁଏ, ତେବେ ବିକଳ୍ପ ପରିବହନ ମାର୍ଗ ଏବଂ ସାମୟିକ ଗୋଦାମ ଘର ପ୍ରସ୍ତୁତ ରଖିବାକୁ ଯୋଜନା କରାଯାଇଛି । ଜିଲ୍ଲା ସ୍ତରରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗୁଡ଼ିକୁ ସକ୍ରିୟ କରାଯାଇଛି । ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଶାସନ ସବୁବେଳେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *