ମେୟର ଓ କମିସନରଙ୍କ ଘର ଆଗରେ ଧାରଣା ଚେତାବନୀ
ଉଗ୍ର ହେଉଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ । ମାର୍କେଟ ବିଲ୍ଡିଂର ଦୋକାନକୁ ନେଇ ବିବାଦ । ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା ବେଳେ ଏଠାରେ ୩୫୦ ଜଣଙ୍କୁ ବସାଇବା ପାଇଁ ମସୁଧା ହୋଇଛି। ବିଏମ୍ସି ଅଧିକାରୀ ଏହି ମସୁଧାରେ ସାମିଲ ହୋଇଛନ୍ତି। ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇ ସେମାନଙ୍କୁ ବସିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଏମ୍ସିର ଅଧିକାରୀ ସମ୍ପୃକ୍ତ ନଥିଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ଉଚ୍ଛେଦ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେତେକ ଦୋକାନ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ରହିଥିବା ବିଏମ୍ସି କହୁଛି। ହେଲେ ଯେଉଁ ଆଦେଶ ହୋଇଛି ସେଥିରେ କୌଣସି ପ୍ଲଟ୍ ନମ୍ବର ନାହିଁ। ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ମାର୍କେଟ୍ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ତିନିଦିନ ଭିତରେ ଏହି ବେଆଇନ ଭାବରେ ବସିଥିବା ବ୍ୟବସାୟୀଙ୍କୁ ନ ହଟାଇଲେ ସମସ୍ତ ବ୍ୟବସାୟୀ ମାର୍କେଟ୍ ବିଲ୍ଡିଂ ବନ୍ଦ କରି କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।