ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍, ହୃଦରୋଗ, କିଡନୀ ସମସ୍ୟା ଏବଂ ମଧୁମେହ ଭଳି ଅନେକ ଜଟିଳ ରୋଗରେ ପୀଡ଼ିତ ଥିଲେ । ଗତ ନଭେମ୍ବର ମାସରୁ ସେ ଢ଼ାକା ଏଭର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ଥିଲା । ବାଂଲାଦେଶ ରାଜନୀତିର ଜଣେ ଶ୍ତିଶାଳୀ ନେତ୍ରୀ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ବେଗମ୍ ଖାଲେଦା ଜିଆ ।ସେ ୧୯୮୧ ମସିହାରେ ତାଙ୍କ ସ୍ୱାମୀ ତଥା ରାଷ୍ଟ୍ରପତି ଜିଆଉର ରହମାନଙ୍କ ହତ୍ୟା ପରେ ରାଜନୀତିକୁ ଆସିଥିଲେ। ୧୯୯୧ ମସିହାରେ ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ସେ ଦ୍ୱିତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳି ଥିଲେ । ସେ ସାମରିକ ଶାସନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ଦୁର୍ନୀତି ଅଭିଯୋଗ ଏବଂ ଜେଲ୍ ଦଣ୍ଡର ମଧ୍ୟ ସାମ୍ନା କରିଥିଲେ । ଖାଲେଦା ଜିଆ ଏବଂ ଶେଖ୍ ହସିନାଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ରାଜନୈତିକ ଲଢ଼େଇ ପାଇଁ ବାଂଲାଦେଶ ରାଜନୀତି ସାରା ବିଶ୍ୱରେ ପରିଚିତ । ତାଙ୍କ ମୃତ୍ୟୁ ସହିତ ବାଂଲାଦେଶ ରାଜନୀତିର ଏକ ବଡ଼ ଅଧ୍ୟାୟ ଶେଷ ହୋଇଛି ।