ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ମୁନା ମଙ୍ଗରାଜ ଗିରଫ
ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ବଡ଼ ସଫଳତା ମିଳିଛି କ୍ରାଇମବ୍ରାଞ୍ଚକୁ । ଏହି ମାମଲାରେ ଦୀର୍ଘଦିନ ଧରି ଖୋଜାଯାଉଥିବା ମୁଖ୍ୟ ଅଭିଯୁକ୍ତ ମୁନା ମଙ୍ଗରାଜକୁ ଶେଷରେ ଗିରଫ କରାଯାଇଛି । ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଟିମ୍ ଢେଙ୍କାନାଳ ଅଞ୍ଚଳରୁ ମୁନା ମଙ୍ଗରାଜକୁ ଧରିବାରେ ସଫଳ ହୋଇଛି । ଗୁପ୍ତ ସୂଚନା ଆଧାରରେ ଚାଲିଥିବା ଚଢ଼ାଉ ଅଭିଯାନରେ ସେ ଧରାପଡ଼ିଥିଲେ । ତାଙ୍କୁ ଗିରଫ କରିବା ପରେ ତତ୍କାଳ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ହାଜତକୁ ନିଆଯାଇଛି ।
ଏହି ଗିରଫ ପରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ତଦନ୍ତ ଅଧିକ ତୀବ୍ର ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ଏବେ ଘଟଣାର ପ୍ରତ୍ୟେକ ପାହାଡ଼ ଖୋଲିବାକୁ ଚେଷ୍ଟା କରୁଛି । ପୂର୍ବରୁ ଏହି ମାମଲାରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସୁଥିଲା । ଏବେ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ହେବା ପରେ ମାମଲାର ରହସ୍ୟ ଶୀଘ୍ର ଖୋଲିବ ବୋଲି ଆଶା କରାଯାଉଛି ।
