ଅର୍ଣ୍ଣବ ଗଲା, ଆସୁଛି ମୁରାସୁ !
ଛାରଖାର କରିଦେଲା ଅର୍ଣ୍ଣବ। କ୍ଷତ ପୁରା ତାଜା ରହିଛି। ଏଭଳି ସ୍ଥିତିରେ ମାଡି ଆସୁଛି ଆଉ ଏକ ସମ୍ଭାବ୍ୟ ବାତ୍ୟା। ବଙ୍ଗୋପସାଗରରେ ଆଜି ଅବପାତ ସୃଷ୍ଟି ହୋଇଥିବା ବେଳେ ଆଜି ବାତ୍ୟାର ରୂପ ନେଇପାରେ। ଆଉ ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ଛୁଇଁପାରେ ସ୍ଥଳଭାଗ। ଆଇଏମଡିର ଆକଳନ, ବାତ୍ୟା ଆନ୍ଧ୍ର ମୁହାଁ ହେଉଥିଲେ ବି କାଳ ସାଜିପାରେ ଦକ୍ଷିଣ ଓଡ଼ିଶା ପାଇଁ।
ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ରାଜ୍ୟରେ ନଭେମ୍ବର ୫ ଯାଏଁ ବର୍ଷିବ। ଆସନ୍ତାକାଲି ବାତ୍ୟା ସୃଷ୍ଟି ହେଲେ ତା ନାଁ ରହିବ ମୁରାସୁ।ଅର୍ଣ୍ଣବର ଦାଉରୁ ନିସ୍ତାର ମିଳିନି…ପୁଣି ଏକ ସମ୍ଭାବ୍ୟ ବାତ୍ୟା। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଆଉ ଏକ ସିଷ୍ଟମ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ। ଆସନ୍ତାକାଲି ନେଇପାରେ ବାତ୍ୟାର ରୂପ।
ବାତ୍ୟାର ଗତି କୁଆଡ଼େ ? କେଉଁଠି ହେବ ଲ୍ୟାଣ୍ଡଫଲ୍ ? IMD DG କହିଛନ୍ତି, ୩ ତାରିଖ ସକାଳେ ବାତ୍ୟା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। କେଉଁଠି ଲ୍ୟାଣ୍ଡଫଲ କରିବ ଅସ୍ପଷ୍ଟ ରହିଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିପାରେ। ତେବେ ଅର୍ଣ୍ଣବ ତୁଳନାରେ ସମ୍ଭାବ୍ୟ ସାଇକ୍ଲୋନର ତୀବ୍ରତା କମ୍ ରହିବ ବୋଲି ସ୍ପଷ୍ଟ କରିଛନ୍ତି IMD ଡିଜି।
