ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି

ଜଣେ ଶିକ୍ଷକ ବିଶିଷ୍ଟ ସ୍କୁଲରେ ତୁରନ୍ତ ଶିକ୍ଷକ ନିଯୁକ୍ତି ନିର୍ଦ୍ଦେଶ

ଜଣେ ଶିକ୍ଷକ ବିଶିଷ୍ଟ ସ୍କୁଲରେ ନିଯୁକ୍ତ ହେବେ ଶିକ୍ଷକ। ଓଟିଭିରେ ଏନେଇ ଖବର ପ୍ରସାରଣ ପରେ ପଦକ୍ଷେପ ନେଇଛନ୍ତି ସରକାର। ଜଣେ ଶିକ୍ଷକ ଥିବା ସ୍କୁଲରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ। ଶିକ୍ଷା ଅଧିକାର ଆଇନ ପାଳନ ସହ ୧୫ ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଅନେକ ସ୍ଥାନରେ ଜଣେ ଶିକ୍ଷକରେ ଚାଲିଛି ସ୍କୁଲ। କୋରାପୁଟରେ ୧୧୯ଟି ସ୍କୁଲ ଜଣେ ଲେଖାଏଁ ଶିକ୍ଷକଙ୍କ ଭରସାରେ ଚାଲୁଥିବା ବେଳେ ତା ଭିତରେ ବୋରିଗୁମ୍ମା ବ୍ଲକରେ ସର୍ବାଧିକ ୨୬ଟି ସ୍କୁଲ ରହିଛି। ସେହିଭଳି କୋଟପାଡ଼ରେ ୧୫ଟି, ପଟାଙ୍ଗୀରେ ୧୫, ନନ୍ଦପୁରରେ ୧୪, କୋରାପୁଟରେ ୧୩ଟି ସ୍କୁଲ ସିଙ୍ଗଲ ଟିଚରରେ ପରିଚାଳିତ ହେଉଛି।ଏନେଇ କିଛି ଦିନ ତଳେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ୍ ସିଷ୍ଟମ ଫର୍ ଏଡୁକେସନ୍ ପ୍ଲସ (UDISI+) ରିପୋର୍ଟ ଅନୁସାରେ ୨୦୨୩ ପରଠୁ ଓଡ଼ିଶାରେ ସିଙ୍ଗଲ ଟିଚର ସ୍କୁଲ ଟ୍ରେଣ୍ଡ୍ ଭୟଙ୍କର ଭାବେ ବଢ଼ି ଚାଲିଛି। ୨୦୨୩-୨୪ରେ ଓଡ଼ିଶାରେ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲର ସଂଖ୍ୟା ଥିଲା ୧୦୬୫। ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ସଂଖ୍ୟା ବଢ଼ିଥିଲା ୧୦୮୯କୁ। କିନ୍ତୁ ୨୦୨୫-୨୬ ଶିକ୍ଷା ବର୍ଷରେ ଏଭଳି ସ୍କୁଲ ସଂଖ୍ୟା ପ୍ରାୟ ୩୪ ପ୍ରତିଶତ ବୃଦ୍ଧି ପାଇଁ ୧୪୫୮ରେ ପହଞ୍ଚିଛି। ଯାହାକି ଅତି ଉଦବେଗଜନକ। ଓଡ଼ିଶାରେ ଏବେ ମୋଟ ୬୧ ହଜାର ୫୯୪ ସ୍କୁଲରେ ପଢୁଥିବା ୭୭ ଲକ୍ଷ ୮୮ ହଜାର ୫୬୭ ପିଲାଙ୍କ ଭିତରୁ ୧୪୫୮ ସ୍କୁଲର ପ୍ରାୟ ୬୦ ହଜାର ପିଲା ଜଣେ ଜଣେ ଶିକ୍ଷକଙ୍କ ଦ୍ବାରା ପାଠ ପଢୁଛନ୍ତି।

Leave a Reply

Your email address will not be published. Required fields are marked *