ଗିରଫ ହେବା ପରେ ଜେଲରୁ ମୁକୁଳିଲେ ଟ୍ରମ୍ପ୍

ଗିରଫ ହେବାର ୨୦ ମିନିଟ୍ ରେ ଜେଲ୍ ରୁ ବାହାରିଲେ ଟ୍ରମ୍ପ୍

ଜର୍ଜିଆ ନିର୍ବାଚନ ଜାଲିଆତିରେ ଗୁରୁବାର ରାତିରେ ଗିରଫ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ୨୦୦,୦୦୦ ଡଲାର୍‌ ମୁଚାଲିକାରେ ମୁକ୍ତ କରାଯାଇଥିବା ସୂଚନା ।  ତାଙ୍କ ନାଁରେ ଅସାଧୁ ବ୍ୟାବସାୟିକ କାରବାର ଓ ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା। ଗିରଫ ହୋଇ ମାତ୍ର ୨୦ ମିନିଟ୍‌ ପାଇଁ ଜେଲ୍‌ ଯାଇଥିବା ଟ୍ରମ୍ପ୍‌ଙ୍କ ମୁହଁର ଫଟୋ ମଧ୍ୟ ଉଠାଯାଇଥିଲା। ପୁଲିସ ରେକର୍ଡ ନିମନ୍ତେ ଆବଶ୍ୟକ ଏହି ‌ଫଟୋକୁ ପରେ ପରେ ସାର୍ବଜନୀନ କରାଯାଇଥିଲା। ଆମେରିକୀୟ ରାଷ୍ଟ୍ରପତି ଇତିହାସରେ ଏ ଧରଣର ଘଟଣା ପ୍ରଥମ। ଆଟ୍‌ଲାଣ୍ଟାସ୍ଥିତ ଫୁଲ୍‌ଟନ୍‌ କାଉଣ୍ଟି ଜେଲ୍‌ ରେକର୍ଡରୁ ଅନୁସାରେ, ଟ୍ରମ୍ପ୍‌ ୧୩ଟି ପୃଥକ୍‌ ପୃଥକ୍‌ ମାମଲାର ସମ୍ମୁଖୀନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଜର୍ଜିଆ ନିର୍ବାଚନ ଜାଲିଆତି ମାମଲାରେ ଥିବା ଅଭିଯୋଗ ହେଉଛି, ଆମେରିକାର ଦକ୍ଷିଣ ପ୍ରଦେଶ ଜର୍ଜିଆରୁ ପ୍ରାପ୍ତ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଟ୍ରମ୍ପ୍‌ ଏବଂ ତାଙ୍କର ୧୮ଜଣ ସହ-ଅଭିଯୁକ୍ତ ଜାଲିଆତି କରି ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ। ଏହି ମାମଲାରେ ଗୁରୁବାର ଦିନ ଟ୍ରମ୍ପ୍‌ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଜେଲ୍‌ରୁ ମୁକ୍ତ ହେବା ପରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଲେ, ମୁଁ କିଛି ଅନ୍ୟାୟ କରିନାହିଁ। ଓଲଟା ବିଚାର ଚାଲିଛି। ଯେଉଁ ନିର୍ବାଚନରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି ‌ବୋଲି ଆମର ମନେହେବ ତା’କୁ ଆମେ ଚାଲେଞ୍ଜ୍‌ କରିପାରିବୁ।