ବାହାଘର ପାଇଁ ବଦଳିଲା ରାଜସ୍ଥାନର ନିର୍ବାଚନ ତାରିଖ

ନଭେମ୍ବର ୨୩ ପରିବର୍ତ୍ତେ ୨୫ରେ ହେବ ଭୋଟ୍ ଗ୍ରହଣ

ରାଜସ୍ଥାନ ନିର୍ବାଚନ ତାରିଖରେ ହେଲା ପରିବର୍ତ୍ତନ । ନଭେମ୍ବର ୨୩ ବଦଳରେ ନଭେମ୍ବର ୨୫ରେ ହେବ ରାଜସ୍ଥାନ ବିଧାନସଭା ପାଇଁ ହେବ ଭୋଟଗ୍ରହଣ । ତେବେ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । କେବଳ ଭୋଟଗ୍ରହଣ ପାଇଁ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଅନ୍ୟ କୌଣସି ତାରିଖ ପରିବର୍ତ୍ତନ ହୋଇନାହିଁ । ତେବେ ସବୁଠୁ ବଡ କଥା ହେଲା କାହିଁକି ଏହି ନିର୍ବାଚନ ତାରିଖ ପରିବର୍ତ୍ତନ କରାଗଲା ଯାହାର କାରଣ ଶୁଣିଲେ ଆପଣଙ୍କୁ ବି ଟିକେ ଆଶ୍ଚର୍ଯ୍ୟ ଲାଗିବ । ବାହାଘର ପାଇଁ ଘୁଞ୍ଚିଲା ଏହି ନିର୍ବାଚନ ତାରିଖ ।

ସୂଚନା ଅନୁସାର ରାଜସ୍ଥାନରେ ୨୩ ନଭେମ୍ବରରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ବିଭିନ୍ନ ସାମାଜିକ ସଙ୍ଗଠନ ଏହି ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । କାରଣ ୨୩ ନଭେମ୍ବରରେ ରାଜସ୍ଥାନରେ ଅଧିକ ମାତ୍ରାରେ ବାହାଘର ରହିଛି । ତେଣୁ ଏହିଦିନ ନିର୍ବାଚନ ହେଲେ ମତଦାନ ହ୍ରାସ ପାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । କେବଳ ରାଜସ୍ଥାନ ନିର୍ବାଚନ ପାଇଁ ତାରିଖ ବଦଳିଛି । ଅନ୍ୟ ସମସ୍ତ ରାଜ୍ୟର ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ । ୨୫ରେ ନିର୍ବାଚନ ହେଲେ ମଧ୍ୟ ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ । ଯାହାକୁ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ହତଚମଟ ଦେଖିବାକୁ ମିଳିଛି ।