“ଦେଶକୁ ନଷ୍ଟ କରେ ପରିବାରବାଦ ରାଜନୀତି”

ପରିବାରବାଦ ରାଜନୀତିକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ

ଭାରତର ସ୍ଵାଧୀନତାରେ ଅଖଣ୍ଡତା ବଜାୟ ରହିବା ପାଇଁ ବଂଶବାଦ ବା ପରିବାରବାଦ ରାଜନୀତିରୁ ବହୁ ଦୂରକୁ ଯିବାକୁ ପଡିବ । ଆଜିର ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପରିବାରବାଦ ରାଜନୀତି ଦ୍ଵାରା କିପରି ଦେଶ ତଳକୁ ଯାଇଥାଏ ତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ପରିବାରବାଦ ଓ ତୁଷ୍ଟିକରଣ ରାଜନୀତି ଦେଶକୁ ନଷ୍ଟ କରିଦେଇଥିଲା କହି କଂଗ୍ରେସ ତଥା ବିରୋଧୀଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ଗୋଟିଏ ପରିବାର କିପରି ଏକ ରାଜନୈତିକ ଦଳର ଦାୟିତ୍ୱରେ ରହିପାରିବ ସେନେଇ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି । ଲାଲକିଲ୍ଲାରୁ ସାରା ଦେଶକୁ ସମ୍ବୋଧନ କରି କହିଛନ୍ତି ଆମେ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ସହ୍ୟ କରିପାରିବୁ ନାହିଁ। ବର୍ତ୍ତମାନର କାଳଖଣ୍ଡରେ ଆମେ ଯେଉଁ ପଦକ୍ଷେପ ଗ୍ରହଣ କରିବା ତାହା ଆଗାମୀ ଏକ ହଜାର ବର୍ଷ ପାଇଁ ସ୍ୱର୍ଣ୍ଣିମ ଇତିହାସ ଲେଖିବ।’ ଦେଶ ପାଇଁ ଏକ ମଜବୁତ ସରକାର ଗଠନ କରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ଆମ ଦେଶ ଉପରେ ଆକ୍ରମଣ ହୋଇଥିଲା ଆମର ମନେ ଅଛି, କିନ୍ତୁ ସେତେବେଳେ ଜଣାନଥିଲା ଯେ ଗୋଟିଏ ଘଟଣା ଭାରତକୁ ହଜାରେ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ପରିଣତ କରିଦେବ। ଦାସତ୍ୱର ମାନସିକତାରୁ ବାହାରିଥିବା ଦେଶ ଏକ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢିଛି। ମାତା ଭାରତୀ ପୁଣି ଥରେ ଜାଗ୍ରତ ହୋଇଛନ୍ତି। ଭାରତର ଚେତନା, ଭାରତର ସାମର୍ଥ୍ୟ ପ୍ରତି ବିଶ୍ୱରେ ଏକ ନୂତନ ଆକର୍ଷଣ, ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି। ତେଣୁ ସବୁକୁ ପଛରେ ପକାଇ ରାଷ୍ଟ୍ରୀୟ ଚରିତ୍ରକୁ ଜାଗ୍ରତ କରିବାକୁ ପଡିବ । ଦେଶ ନିଶ୍ଚୟ ବିଶ୍ବରେ ଗରିମା ସୃଷ୍ଟି କରିବ ।