ହାର୍ଡକୋର ମାଓବାଦୀ ଗିରଫ

ହାର୍ଡକୋର ମାଓବାଦୀ କୁଞ୍ଜାମ ହିଡମା ଗିରଫ

ଲାଲ ବାହିନୀକୁ ଶକ୍ତ ଧକ୍କା । ପୁଣି ଜଣେ ହାର୍ଡକୋର ମାଓବାଦୀ ଗିରଫ । ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ଗିରଫ କଲା କୋରାପୁଟ ପୋଲିସ । ଛତିଶଗଡ଼ରୁ ଓଡିଶା ସୀମାଦେଇ ଆନ୍ଧରପ୍ରଦେଶକୁ ଯିବା ବେଳେ ବୈପାରୀଗୁଡା ପେଟୁଗୁଡା ଜଙ୍ଗଲରୁ ଗିରଫ ହୋଇଛି ହିଡମା । ପେଟଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଘଟଣା ସ୍ଥଳରେ ମାଓବାଦୀମାନେ ଖସି ପଳାଇବାକୁ ଉଦ୍ୟମ ଆରମ୍ଭ କରି ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ପୋଲିସ ହାବୁଡ଼ରେ ପଡ଼ିଥିଲା । କୁଞ୍ଜାମ ହିଡମା ନିକଟରୁ ଗୋଟିଏ AK-47 , ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କେଜି ଗନ ପାଉଡର ଜବତ କରାଯାଇଛି ।

୨୦୨୧ ରେ ଛତିଶଗଡର ଚାନ୍ଦମେଟା, ୨୦୨୩ରେ କୋଲେଙ୍ଗଡବା, ୨୦୨୦ରେ ଓଡିଶାର କୋଣ୍ଡାଝରି, ଏବଂ ୨୦୨୧ରେ କୁମ୍ଭିଖରିରେ ହୋଇଥିବା ମାଓବାଦୀ ଘଟଣାରେ କୁଞ୍ଜାମ ହିଡ଼ମାର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି । ଦୁଇଟି ଥାନାରେ ତା ନାଁରେ ୭ଟି ମାମଲା ରହିଛି । ଏହାବ୍ଯତୀତ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଘଟଣାରେ ହିଡମା ଜଡିତ ଥିବା ପୋଲିସ ସୂଚନା ପାଇଛି । ଦୁର୍ଦାନ୍ତ ମାଓବାଦୀ କୁଞ୍ଜମ ନାଁ ରେ ୪ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ବର୍ତ୍ତମାନ  କୋରାପୁଟ ସୀମାନ୍ତରେ ସର୍ଚ୍ଚ ଅପରେସନ ଜାରି ରହିଛି ।