ସାବଧାନ ମାତିଛନ୍ତି ଟମାଟୋ ଲୁଟେରା !

ଜୀବନ ନେଇଯିବ ଟମାଟୋ । ଏ କଥାଟି ଆପଣଙ୍କୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ, କିନ୍ତୁ କଥାଟି ଆଜ୍ଞା ପୁରା ସତ। ଟମାଟୋ ପାଇଁ ଚାଲି ଯାଇଥାନ୍ତା ମହିଳାଙ୍କ ଜୀବନ। କାହିଁକି ନା ଲୁଟେରାଙ୍କ ଟାର୍ଗେଟରେ ଏବେ ଟମାଟୋ। ସୁନାରୁପା ଛାଡି ଏବେ ଟମାଟୋ ପଛରେ ପଡିଛନ୍ତି ଲୁଟେରା। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ । ଜଣେ ମହିଳା ଟମାଟୋ ବିକ୍ରି କରୁଥିବା ଦେଖି ପହଞ୍ଚିଥିଲେ କିଛି ଲୁଟେରା। ଆଉ ତାପରେ ମହିଳା ଦୋକାନୀଙ୍କ ସହିତ ମାରପିଟ କରି ତାଙ୍କଠାରୁ ୪ କିଲୋ ଟମାଟୋ ଲୁଟ କରିଛନ୍ତି ଲୁଟେରା। ଲୁଟକୁ ବିରୋଧ କରିବାରୁ କେବଳ ମହିଳା ନୁହନ୍ତି ତାଙ୍କ ପରିବାର ମଧ୍ୟ ଲୁଟେରାଙ୍କ ଶିକାର ହୋଇଛନ୍ତି।

ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ମହିଳା ଦୋକାନୀ ସନ୍ତୋଷ ଦେବୀଙ୍କ ଦୋକାନକୁ ତାଙ୍କ ଗାଁର ଜଣେ ଯୁବକ ଟମାଟୋ କିଣିବାକୁ ଆସିଥିଲେ। ଟମାଟୋ କିଲୋ ୧୨୦ ଟଙ୍କା ଥିବା ବେଳେ ଯୁବକ ଜଣକ କିଲୋ ପ୍ରତି ୧୦ ଟଙ୍କା ନେବାକୁ ସନ୍ତୋଷ ଦେବୀଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନୀ ୧୦ ଟଙ୍କାରେ ଟମାଟୋ ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଯୁବକ ସନ୍ତୋଷ ଦେବୀଙ୍କୁ ଗାଳିଗୁଲଜ କରିଥିଲେ। ପରେ କିଛି ବ୍ୟକ୍ତିଙ୍କ ସହିତ ଯୁବକ ଜଣକ ଫେରି ତାଙ୍କୁ ମାଡ଼ ମାରିବା ସହିତ ୪ କିଲୋ ଟମାଟୋ ଲୁଟ୍ କରିଥିଲେ।

ଝାନସି ଥାନାର କୁସମିପୁର ଗାଁରେ ଏହି ଘଟଣା ଘଟିଛି। ଟମାଟୋ ଲୁଟର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ସୁନା, ରୂପା କି ହୀରା ନୁହେଁ ବରଂ ବଜାରରେ ମାତିଛନ୍ତି ଟମାଟୋ ଲୁଟେରା । ଆପଣ ଯଦି ଏମିତି ଟମାଟୋ କିଣିବାକୁ ଏବେ ବଜାର ଯାଉଥାନ୍ତି ତେବେ ଟିକେ ସାବଧାନର ସହ ଯିବାକୁ ଅନୁରୋଧ , ନହେଲେ ଆପଣ ବି ଏପରି ଲୁଟେରାଙ୍କ ଶିକାର ହୋଇ ପାରନ୍ତି।