ପ୍ରକାଶ ପାଇଲା +୨ ପ୍ରଥମ ପର୍ଯ୍ୟାୟ କଟଅଫ୍ । କଳା, ବାଣିଜ୍ୟ ଓ ବିଜ୍ଞାନରେ ନାମଲେଖା ପାଇଁ ଏହି କଟଅଫ୍। ଆସନ୍ତା 7ରୁ 13ତାରିଖ ଯାଏଁ ନିଜ କଟଅଫ୍ ଅନୁଯାୟୀ କଲେଜରେ ନାମ ଲେଖାଇପାରିବେ । ତେବେ ଯଦି କଟଅଫ୍ ତାଲିକାକୁ ଦେଖାଯାଏ ସବୁଠୁ ଆଗରେ ରହିଛି ରେଭେନ୍ସା । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭, ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟଅଫ୍ । ସେହିପରି ବିଜେବି କଲେଜରେ ବିଜ୍ଞାନରେ ୮୯ ପ୍ରତିଶତ, ବାଣିଜ୍ୟରେ ୭୩ ପ୍ରତିଶତ, ବାଲେଶ୍ବର ଏଫଏମ କଲେଜରେ ବିଜ୍ଞାନରେ ୯୦ ପ୍ରତିଶତ ରହିଛି କଟଅଫ୍ ମାର୍କ ।
ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ ନାମଲେଖା ପାଇଁ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୦୨୩ ଜଣ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ଛାତ୍ରଛାତ୍ରୀ ଦ୍ଵିତୀୟ ଓ ସ୍ପଟ୍ ଆଡମିଶନ ପାଇଁ ରହିଯାଇଛନ୍ତି ।
ଛାତ୍ରଛାତ୍ରୀ ନିଜ ଇଣ୍ଟିମେସନ ଲେଟର ଜରିଆରେ ଆଡମିସନ କରିବେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ସେହିପରି ଦ୍ବିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ସେହିପରି ଅନଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସୂଚନା ପ୍ରଦାନ କରାଯାଇଛି ।