ରାଜ୍ୟସଭା ପାଇଁ କାଲି ନାମାଙ୍କନ ଭରିପାରନ୍ତି ଅଶ୍ୱିନୀ ବୈଷ୍ଣବ
କିଏ ହେବେ ରାଜ୍ୟସଭା ତୃତୀୟ ଆସନ ପାଇଁ ପ୍ରାର୍ଥୀ? ଲାଗିରହିଛି ସସପେନ୍ସ । ପୁଣି ଅଶ୍ୱିନୀ ବୈଷ୍ଣବ ରିପିଟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏବଂ କାଲି ନାମାଙ୍କନ ଭରିବା ନେଇ ମଧ୍ୟ ସୂଚନା ରହିଛି । ରାଜ୍ୟରେ ଖାଲିପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡିରୁ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରି ସାରିଥିବା ବେଳେ ତୃତୀୟ ଆସନଟି ଖାଲି ପଡ଼ିଛି। ତୃତୀୟ ଆସନ ପାଇଁ ସସପେନ୍ସ ଜାରି ରହିଥିବା ବେଳେ ମିଳିଥିବା ସୂଚନା ଅନୁସାରେ, ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ନାମାଙ୍କନ ଭରିପାରନ୍ତି । ଏଥିପାଇଁ ବିଜେପି ବିଧାୟକଙ୍କୁ ଭୁବନେଶ୍ୱର ଡକାଯାଇଛି । ନାମ ଗୋପନ ରଖିବାକୁ କହି କିଛି ବିଜେପି ବିଧାୟକ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ୨୦୧୯ ଫର୍ମୁଲା ଆପଣାଇପାରେ ବିଜେଡି । ୨୦୧୯ ଜୁନ ୨୪ରେ ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ । ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭା ପଠାଇଥିଲା ବିଜେଡି । ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ଆସନରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ ସମର୍କରେ ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ମୁଖ୍ୟମନ୍ତ୍ରୀ ଶେଷ ମୁହୂର୍ତରେ ସରପ୍ରାଇଜ କାର୍ଡ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
