କଂଗ୍ରେସର ଟିକେଟ କସରତ

ପ୍ରଗମନରେ ଟିକେଟ ଆବେଦନର ଶେଷ ତାରିଖ

ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ କାହାକୁ ମିଳିବ ଟିକେଟ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଚଳିତ ବର୍ଷ କଂଗ୍ରେସ ଆପଣେଇଛି ନୂଆ ତରିକା। ପ୍ରଗମନ ଆପ ଜରିଆରେ ପ୍ରଦେଶ କଂଗ୍ରେସ ଆରମ୍ଭ କରିଛି ଟିକେଟ ଆବେଦନ ପ୍ରକ୍ରିୟା । ଆଜି ହେଉଛି ଆବେଦନର ଶେଷ ତାରିଖ । ଲବି ନୁହେଁ ବରଂ ଲୋକଙ୍କ ସହିତ ଥିଲେ ମିଳିବ ଟିକେଟ । ଏଥିପାଇଁ କଂଗ୍ରେସ ଜାରି କରିଛି ଗାଇଡ ଲାଇନ । ଆଶାୟୀଙ୍କ ଫେସବୁକ ପେଜ ଓ ଟ୍ୱିଟର ଆକାଉଂଟ ରହିବା ଆବଶ୍ୟକ। ସମସ୍ତ ବ୍ଲକରେ ହ୍ୱାଟସଆପ୍ ଗ୍ରୁପ ରହିବ। ଏଥିରେ ସର୍ବନିମ୍ନ ୫୦୦ ଜଣ ଯୋଡିହେବେ। ଆଶାୟୀ ନିଜ ନିର୍ବାଚନମଣ୍ଡଳୀରେ ୱାରରୁମ ତିଆରି କରିବେ। ଆଶାୟୀ ବିଜେଡି-ବିଜେପି ବାହାଘର କରି ଭିଡିଓ ପଠେଇବେ। ନିଜ ନିର୍ବାଚନମଣ୍ଡଳୀରେ ୧୦ଟି ହୋର୍ଡିଂ ଲଗାଇବେ। ଦଳର ବଡ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀଙ୍କ ପାଇଁ ଏଥର ଅନଲାଇନରେ ଟିକେଟ ଆବେଦନ କରିବାକୁ ପଡିଛି । ଆସନ୍ତା ୧୨ ଓ ୧୩ରେ ଆରମ୍ଭ ହେବ ଯାଂଚ ପ୍ରକ୍ରିୟା । ବିଧାନସଭା ଆସନ ପାଇଁ ଆବେଦନ କରିଛନ୍ତି ପ୍ରାୟ ୨୫୦୦ରୁ ଅଧିକ ଆଶାୟୀ । ସେହିପରି ଲୋକସଭା ଆସନ ପାଇଁ ୬୭୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଆଶାୟୀଙ୍କ ନାଁ ଚୂଡାନ୍ତ ହେବା ପରେ ଏଆଇସିସିକୁ ତାଲିକା ପଠାଯିବ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଏଥର ଗୁରୁତ୍ୱ ଦିଆଯିବ ବୋଲି କଂଗ୍ରେସ ସଙ୍କେତ ଦେଇସାରିଛି । କଂଗ୍ରେସର ଟିକେଟ ବଂଟନ ବେଳେ ଅର୍ଥ କାରବାର ହେଉଥିବା ଅଭିଯୋଗ ଆସୁଥିଲା । ଏବେ ଟିକେଟ ପାଇଁ ଅନଲାଇନରେ ଟିକେଟ ଆବେଦନ କରିବା ଲାଗି ବ୍ୟବସ୍ଥା ହୋଇଛି ।