ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଚୁଛି ବର୍ଷା

ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ

ଛତିଶଗଡ଼ ମୁହାଁ ବାତ୍ୟା ମିଗଜୋମ। ବାତ୍ୟା ପ୍ରଭାବରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହେଉଛି ମିଗଜୋମ। କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ପରିଣତ ହୋଇ ଏବେ ତେଲେଙ୍ଗାନାରେ କେନ୍ଦ୍ରୀଭୁତ ହୋଇଛି । ଉତ୍ତର ଦିଗରେ ଘଂଟାପ୍ରତି ୧୧ କିମି ବେଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି ଗଭୀର ଅବପାତ । ଆଗାମୀ ୬ ଘଂଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷା ଓ ପବନର ବେଗ କମିଛି । ଏହା ପ୍ରଭାବ ଓଡ଼ିଶାରେ ପଡିଛି ପୁରୀ, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ ବର୍ଷା ହେଉଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟ ହୋଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ବର୍ଷା ଯୋଗୁଁ କୋରାପୁଟରେ ମାଟି ଅତଡା ଧସିଛି । ବୋରାରୁ ଶିବଲିଙ୍ଗପୁରମ ମଧ୍ୟରେ ମାଟି ଅତଡା ଧସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ ହଠାତ୍ ବ୍ରେକ ମାରିବାରୁ ଇଂଜିନ ଓ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଉଦ୍ଧାରକାରୀ ଟ୍ରେନକୁ ଘଟଣାସ୍ଥଳକୁ ପଠାଯାଇଛି । କୋରାପୁଟରୁ ଆର୍ଖୁ ଦେଇ ବିଶାଖାପାଟଣା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ସେପଟେ ଏସଆରସି କହିଛନ୍ତି, ନାରାୟଣପାଟଣା ଓ ପଟ୍ଟାଙ୍ଗି ଅଂଚଳରେ ସର୍ବାଧିକ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି ।