ଗଜପତିରେ ଗଡ଼ିଲା ଲକ୍ଷ୍ମୀ ବସ୍

ଗଜପତିରେ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଏଥର ଆଉ ଅସୁବିଧାର ସମ୍ମୁଖୀନ ହେବେନି ଗଜପତିବାସୀ । ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଲକ୍ଷ୍ମୀ ଯୋଜନା । ତେବେ ଆଜି ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଗଜପତିବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସାମାଜିକ ସମ୍ପର୍କ ମଜଭୁତ ହେବ । ଅର୍ଥନୀତି ସଶକ୍ତ ହେବ । ଆଗାମୀ ପର୍ଯ୍ୟାୟରେ ୧ ହଜାରରୁ ଅଧିକ ବସ୍ ଚାଲିବ । ପଞ୍ଚାୟତରେ ବିକାଶର ଧାରା ଜାରି ରହିଛି । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଏହି ଯୋଜନା ଘରେ ଘରେ ଖୁସି ଆଣିବ ।

ବ୍ୟାଙ୍କିଙ୍ଗ, ଇଣ୍ଟରନେଟ, ଡିଜିଟାଲର ବିକାଶ ହେବ । ସଂସ୍କୃତିର ମଧ୍ୟ ବିକାଶ ହେବ । ଗଜପତିର ବିକାଶ ଆହୁରି ଉଜ୍ବଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ଦିନ ପୂର୍ବରୁ ଏହି ଯୋଜନା ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଗାଁକୁ ଗାଁକୁ ଯୋଡିହେବ । ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ମୀ ଯୋଜନାରେ ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ୩୬ଟି ବସ୍‌ ଯୋଗାଇଛନ୍ତି । ଗଜପତି ଜିଲ୍ଲାର ସାତଟି ବ୍ଲକର ଉପାନ୍ତ ପଞ୍ଚାୟତଗୁଡ଼ିକରୁ ବ୍ଲକ୍‌ ସଦର ମହକୁମାକୁ ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ ହୋଇଛି ‌। ଯାତାୟାତର ସୁବିଧା ପାଇବେ ଗ୍ରାମାଞ୍ଚଳର ଜନସାଧାରଣ। ତେବେ ଏହି ଲକ୍ଷ୍ମୀ ବସ ଚାଲିବା ନେଇ ଜନସାଧାରଣଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।