ସାତ ବର୍ଷ ଜେଲ୍ ଯିବେ ଆଜମ୍ ଙ୍କ ପୁରା ପରିବାର
ଜେଲ୍ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍ଙ୍କ ପୂରା ପରିବାର । ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ଆଜମ ଖାନ୍ଙ୍କ ପୂରା ପରିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ପତ୍ନୀ ତଞ୍ଜିମ ଫାତିମା ଏହି ମାମଲାରେ ଦୋଷୀ ପ୍ରମାଣିତ ହୋଇଛନ୍ତି । ତେବେ ଏହି ପରିବାରର ତିନି ଜଣଙ୍କୁ ସାତ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ଆଜମ ଖାନ୍ଙ୍କ ଜାମିନ ବାତିଲ କରାଯାଇଛି। ବିଜେପି ନେତା ଆକାଶ ସକ୍ସେନା ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏବେ ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଏମ୍ପି-ଏମ୍ଏଲ୍ଏ କୋର୍ଟ ତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଦଣ୍ଡାଦେଶ ପରେ ସମସ୍ତଙ୍କୁ ତୁରନ୍ତ ଜେଲ ପଠାଇ ଦିଆଯାଇଛି । ସପା ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ଦୁଇଟି ବାର୍ଥ ସାର୍ଟିଫିକେଟ୍କୁ ନେଇ ଏହି ମାମଲା ରୁଜୁ ହୋଇଥିଲା । ପ୍ରଥମ ବାର୍ଥ ସାର୍ଟିଫିକେଟ୍ ଆଧାରରେ ଅବଦୁଲ୍ଲା ପାସପୋର୍ଟ ନେଇ ବିଦେଶ ଯାଇଥିବା ଓ ଦ୍ୱିତୀୟ ସାର୍ଟିଫିକେଟ୍କୁ ସରକାରୀ କାମରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ସୂଚନା ମୁତାବକ, ପ୍ରଥମ ବାର୍ଥ ସାର୍ଟିଫିକେଟ୍ ତଥା ଜନ୍ମ ପ୍ରମାଣପତ୍ରଟି ରାମପୁର ନଗର ପାଳିକା ୨୦୧୨ ଜୁନ୍ ୨୮ରେ ଜାରି କରିଥିଲେ । ଏଥିରେ ଅବଦୁଲ୍ଲା ଆଜମଙ୍କର ଜନ୍ମସ୍ଥାନ ରାମପୁର ବୋଲି ଦର୍ଶାଯାଇଛି । ସେହିପରି ୨୦୧୫ ଜାନୁଆରୀରେ ଦ୍ୱିତୀୟ ବାର୍ଥ ସାର୍ଟିଫିକେଟ୍ରେ ତାଙ୍କ ଜନ୍ମସ୍ଥାନ ଲକ୍ଷ୍ନୌ ଥିବା ସୂଚନା ରହିଛି । ତେଣୁ ତାଙ୍କ ବିରୋଧରେ ଧାରା ୪୦୨, ୪୬୭, ୪୬୮ ଓ ୪୭୧ ଆଧାରରେ ମାମଲା ରୁଜୁ କରାଯାଇଥିଲା ।