କାଳ ହେଲା ମଞ୍ଚାରେ ଶୋଇବା, ଚାଲିଗଲା ଜୀବନ !

ମଞ୍ଚା ଉପରେ ଶୋଇଥିବା ହତ୍ୟା !

ମଞ୍ଚା ଶୋଇବା ହେଲା କାଳ । ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଓଳାବିର ଗାଁରେ । ଫସଲ ଜଗିବାକୁ ଯାଇ ମଞ୍ଚା ଉପରେ ଶୋଇଥିବା ବେଳେ କେହିଜଣେ ହତ୍ୟା କରିଦେଲା । ତେବେ ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଓଳାବିର ଗାଁର ବିଶ୍ଵନାଥ ବର୍ଗିଆ, ସବୁଦିନ ପରି ଫସଲ ଜଗିବାକୁ ରାତିରେ ମଞ୍ଚାକୁ ଚଢ଼ିଥିଲେ। ହେଲେ ଜାଣି ନଥିଲେ ମୃତ୍ୟୁ ଏଇଠି ତାଙ୍କୁ ଜଗି ରହିଛି । ଆଉ ସତକୁ ସତ ମଞ୍ଚା ଉପରେ ହିଁ ଚାଲିଯିବ ଜୀବନ । ଗତ ରାତିରେ ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ କରିଥିବା ଘରଠୁ ଅଳ୍ପ ଦୂରରେ ଅବସ୍ଥିତ ମଞ୍ଚା ଉପରକୁ ଯାଇଥିଲେ ।

ସେଠାରେ ସେ ଶୋଇ ପଡ଼ିଥିବା ବେଳେ ଅତର୍କିତ ଭାବେ କେହି ଦୁର୍ବୃତ୍ତ ତାଙ୍କ ବେକକୁ ଆକ୍ରମଣ କରିଥିଲେ। ଫଳରେ ବିଶ୍ୱନାଥ ଚିତ୍କାର କରିବାରୁ ପରିବାର ଲୋକେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେଠାରେ ସେମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିବା ବେଳେ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ।ପରିବାର ଲୋକେ ତୁରନ୍ତ ତାଙ୍କୁ ଘରକୁ ଆଣିଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବିଶ୍ଵନାଥଙ୍କୁ ଏମିତି ଜଘନ୍ୟ ଭାବେ କିଏ ମାରିଲା ତାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣା ଏବେ ଆମଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।