ସମସ୍ତ ନଦୀ ଓ ଜଳଭଣ୍ଡାର ଉପରେ କଡ଼ା ନଜର

ଗତଥର ଭଳି ଏଥର ହେବନି ବଡ଼ ବନ୍ୟା

ରାଜ୍ୟରେ ଲଗାଣ ବର୍ଷାକୁ ନେଇ ବନ୍ୟା ଆଶଙ୍କା ଭିତରେ ଆସିଲା ବଡ଼ ଖବର। ଗତଥର ଭଳି ଏଥର ବଡ଼ ବନ୍ୟା ହେବନି। ଏଭଳି ଆକଳନ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ଏନେଇ ସେ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ତେବେ ଆଜିର ବର୍ଷା ଉପରେ ଆଗାମୀ ସ୍ଥିତି ନିର୍ଭର କରୁଥିବାରୁ ବିଭାଗ ପକ୍ଷରୁ ସମସ୍ତ ନଦୀ ଓ ଜଳଭଣ୍ଡାର ଉପରେ କଡ଼ା ନଜର ରଖାଯାଇଛି।ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ହୋଇଛି। ଗଞ୍ଜାମକୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ସେଭଳି ଅଧିକ ବର୍ଷା ହୋଇନାହିଁ। ଗଞ୍ଜାମରେ ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବାହୁଦା ନଦୀର ଜଳସ୍ତର ବଢ଼ିଛି। ହେଲେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ଉଭୟ ନଦୀରେ ପାଣି ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି। ବର୍ତ୍ତମାନ ଡହରେ ୪୪ ପ୍ରତିଶତ, ବାଘୁଆରେ ୭୦ ପ୍ରତିଶତ ଏବଂ ଘୋଡ଼ାହାଡ଼ରେ ୫୮ ପ୍ରତିଶତ ପାଣି ରହିଛି। ସେହିପରି ବାଘଲଟୀରେ ୬୦ ପ୍ରତିଶତ ଓ ହରଭଙ୍ଗୀ ଜଳଭଣ୍ଡାରରେ ୫୪ ପ୍ରତିଶତ ପାଣି ମହଜୁଦ ରହିଛି।ବର୍ତ୍ତମାନ ଜଳପ୍ରବାହ ଉପରେ ବିଭାଗ ନଜର ରଖିଥିବା ବେଳେ ଅଧିକାଂଶ ଜଳଭଣ୍ଡାରର ଗେଟ୍‌ ଖୋଲିବାକୁ ପଡ଼ିବନି ବୋଲି ଆଶା ରଖାଯାଇଛି। ଆସୁଥିବା ବର୍ଷାଜଳ ନଦୀ ଦେଇ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *