ଗଜପତିରେ ୧୩ ଜାଗାରେ ଭୂସ୍ଖଳନ
ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପ ଥମିଛି, ହେଲେ ଛାଡ଼ିଯାଇଛି ବିପର୍ଯ୍ୟୟର ବିଭୀଷିକା। ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଗଜପତି ଜିଲ୍ଲାର ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାର ୧୩୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୪୭ଟି ଗାଁର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, ୨୧୦ଟି ଘର ଭାଙ୍ଗିଥିବା ବେଳେ ୬୦୩୪ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ପ୍ରଶାସନିକ ରିପୋର୍ଟ ଅନୁଯାୟୀ ୧୩ଟି ସ୍ଥାନରେ ଭୂସ୍ଖଳନ ଘଟିଥିବା ବେଳେ ୨୧ଟି ସ୍ଥାନରେ ଜଳବନ୍ଦି ଓ ରାସ୍ତା ଉପରେ ବନ୍ୟାଜଳ ପ୍ରବାହ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏଥିମଧ୍ୟରୁ ଅଧିକାଂଶ ସ୍ଥାନରେ ରାସ୍ତାରୁ ମାଟି ଓ ପଥର ହଟାଇବା ସହ ଜଳ ନିଷ୍କାସନ କାର୍ଯ୍ୟ ଶେଷ ହୋଇଛି। କେତେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ଜାରି ରହିଛି। ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଥିଲା। ସବୁ ଅଞ୍ଚଳରୁ ବନ୍ୟାଜଳ ହ୍ରାସ ପାଇଛି। ଜଳବନ୍ଦି ସମସ୍ୟା ଦୂର ହେବା ପରେ ରାସ୍ତାଘାଟ ମରାମତି, ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ଓ ଅନ୍ୟାନ୍ୟ ମୌଳିକ ସେବା ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
