ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି
ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। କାକିନାଡ଼ା ନିକଟ ୟାନମ୍ ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ଅର୍ଣ୍ଣବ। ଶକ୍ତିଶାଳୀ ବାଦଲ ବଳୟ ସ୍ଥଳଭାଗକୁ କିଛି ମାତ୍ରାରେ ପ୍ରବେଶ କରିଛି। ଆଗାମୀ ୪ ଘଣ୍ଟା ପବନର ବେଗ ୧୨୫ରୁ ୧୩୫ କିମି ରହିବ। ଝଟ୍କା ପବନର ବେଗ ୧୫୦ କିମି ଯାଏଁ ରହିବା ସମ୍ଭାବନା। ଆନ୍ଧ୍ରପ୍ରଦେଶ ଓ ମାଲକାନଗିରି ଜିଲ୍ଲା ପ୍ରଭାବିତ ଆଶଙ୍କା ରହିଛି। ପୂର୍ବରୁ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ବାତ୍ୟା ଅର୍ଣ୍ଣବ ଏବେ ମାତ୍ର ୩ କିଲୋମିଟର ବେଗରେ ଗତି କରୁଛି । ଏଥିସହିତ ୧୭ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୟାନାମ୍ ନିକଟରେ ତାଣ୍ଡବ ରଚିବା ପରେ ଏବେ ଏହାର ଗତି ଧିମେଇଛି । ଘୁଁ ଘୁଁ ଗର୍ଜନ କରି ମାଡ଼ି ଆସୁଥିବା ବାତ୍ୟା ଏବେ ଧିମା ଗତିରେ ଆଗକୁ ବଢ଼ୁଛି । ନରସାପୁରଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ବାତ୍ୟାର କେନ୍ଦ୍ର । ଆଗାମୀ ୩ ଘଣ୍ଟା ଧରି ଜାରି ରହିପାରେ ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା । ଅର୍ଣ୍ଣବର ପ୍ରଭାବକୁ ନେଇ ଆନ୍ଧ୍ର ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ମଧ୍ୟ ସତର୍କତା ଜାରି ରହିଛି ।
