ଆଜି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ଅଢ଼େଇ ଘଣ୍ଟା ଓଡ଼ିଶାରେ ରହିବାକୁ ଥିବାରୁ ଭୁବନେଶ୍ବର ଓ ଖୋରଧାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଅପରାହ୍ଣ ୪ଟା ୧୦ରେ ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ଖୋର୍ଦ୍ଧାସ୍ଥିତ ଆର୍‌ବିଆଇ ଡାଟା ସେଣ୍ଟରକୁ ଯିବେ। ଅପରାହ୍ଣ ୪ଟା୪୫ରୁ ୫ଟା୪୫ ପର୍ଯ୍ୟନ୍ତ ଆର୍‌ବିଆଇ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ୫ଟା ୫୦ରେ ସଡ଼କ ପଥରେ ଭୁବନେଶ୍ବର ବିମାନବନ୍ଦରକୁ ଫେରିବେ। ୬ଟା ୩୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଭିଭିଆଇପିମାନେ ସଡ଼କ ପଥରେ ଖୋର୍ଦ୍ଧାରୁ ଭୁବନେଶ୍ବର ଫେରିବାକୁ ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *