ମୁମ୍ବାଇରେ ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୁଯୋଗ ନେଇ ମନ୍ଥନ
ମୁମ୍ବାଇରେ ମୋହନ ମାଝୀଙ୍କ ନିବେଶ ବୈଠକ । POSCO ଓ JSW ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ! । ଶିଳ୍ପାୟନକୁ ଗତି ଦେବାକୁ ସରକାରଙ୍କ ପ୍ରୟାସ! । ଶିଳ୍ପ ସମ୍ପ୍ରସାରଣ, ନୂତନ ନିବେଶ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ । ଓଡ଼ିଶାରେ ଶିଳ୍ପ ବିକାଶ ଓ ପୁଞ୍ଜିନିବେଶର ସମ୍ଭାବନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ POSCO ଏବଂ JSW ଗ୍ରୁପ୍ ର ବରିଷ୍ଠ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି।ମୁମ୍ବାଇ ଗସ୍ତର ତୃତୀୟ ଦିନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରକଳ୍ପ, ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା। ବୈଠକରେ POSCO Indiaର ମୁଖ୍ୟ ଏସ୍ . ଏଲ୍ . ଚୁନ୍ , କମ୍ପାନୀର ମୁମ୍ବାଇ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଜେସି କିମ୍ ଏବଂ JSW ଗ୍ରୁପ୍ ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଅଂଶଗ୍ରହଣ କରିଥିଲେ।ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀ ସହ ଏହି ଶିଳ୍ପ ପ୍ରତିନିଧିମାନେ ରାଜ୍ୟରେ ଉପଲବ୍ଧ ନିବେଶ ସୁଯୋଗ ଓ ଶିଳ୍ପ ଭିତ୍ତିଭୂମି ସମ୍ପର୍କରେ ମତ ବିନିମୟ କରିଥିଲେ।
ଆଲୋଚନା ସମୟରେ ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମ୍ପ୍ରସାରଣ, ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା, ଆବଶ୍ୟକ ଭିତ୍ତିଭୂମିର ବିକାଶ ଏବଂ ନିବେଶକଙ୍କୁ ପ୍ରଶାସନିକ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଶିଳ୍ପ କ୍ଷେତ୍ରରେ ନିବେଶ ବୃଦ୍ଧି ସହ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ମଧ୍ୟ ଆଲୋଚନାର ଅନ୍ୟତମ ପ୍ରସଙ୍ଗ ଥିଲା। ମୁଖ୍ୟମନ୍ତ୍ରୀ କହିଥିଲ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ ରହିଛି। ନିବେଶକମାନଙ୍କୁ ଆବଶ୍ୟକ ସୁବିଧା ଓ ସହଯୋଗ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ।ଅଧିକ ପୁଞ୍ଜିନିବେଶ ମାଧ୍ୟମରେ ଶିଳ୍ପାୟନକୁ ଆଗେଇ ନେବା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।
POSCO ଓ JSW ଭଳି ପ୍ରମୁଖ ଶିଳ୍ପଗୋଷ୍ଠୀ ସହ ଏହି ଆଲୋଚନା ରାଜ୍ୟରେ ସମ୍ଭାବ୍ୟ ନିବେଶ ପ୍ରସ୍ତାବ ଓ ଭବିଷ୍ୟତ ଶିଳ୍ପ ସହଯୋଗ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। ତେବେ ବୈଠକ ପରେ କୌଣସି ନିର୍ଦ୍ଦିଷ୍ଟ ପୁଞ୍ଜିନିବେଶ ପରିମାଣ, ନୂତନ ପ୍ରକଳ୍ପ କିମ୍ବା ସମ୍ଭାବ୍ୟ ନିଯୁକ୍ତି ସଂଖ୍ୟା ସମ୍ପର୍କରେ ଘୋଷଣା କରାଯାଇଥିବା ସୂଚନା ମିଳିନାହିଁ। ଏହି ଆଲୋଚନା ପରବର୍ତ୍ତୀ ସମୟରେ ନିର୍ଦ୍ଦିଷ୍ଟ ନିବେଶ ପ୍ରସ୍ତାବ କିମ୍ବା ପ୍ରକଳ୍ପରେ ପରିଣତ ହେବ କି ନାହିଁ, ତାହା ଆଗାମୀ ପଦକ୍ଷେପ ଉପରେ ନିର୍ଭର କରିବ।
