୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ଲିଗାଲ୍‌ ହେୟାର ସାର୍ଟିଫିକେଟ୍‌ର ତଦନ୍ତ ରିପୋର୍ଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେଶରୀନଗର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂହ । ଆଜି ଭୁବନେଶ୍ୱର ୟୁନିଟ୍‌-୬ସ୍ଥିତ କେଶରୀନଗର ଆର୍‌ଆଇ ସର୍କଲ୍‌ରେ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଛି ।ଆବେଦନକାରୀଙ୍କ ମାଆ ଓ ସାନଭାଇଙ୍କ ମୃତ୍ୟୁ ପରେ ଲିଗାଲ୍‌ ହେୟାର ସାର୍ଟିଫିକେଟ୍‌ ପାଇଁ ସେ ସେପ୍ଟେମ୍ବର ୯ ତାରିଖରେ ଅନ୍‌ଲାଇନ୍‌ ଆବେଦନ କରିଥିଲେ । ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ କରିବା ପରେ ଆର୍‌ଆଇଙ୍କ ତଦନ୍ତ ରିପୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ସେ ୩ରୁ ୪ ଥର ଆର୍‌ଆଇଙ୍କୁ ଭେଟିଥିଲେ । ତେବେ ରିପୋର୍ଟ ପଠାଇବାରେ ବିଳମ୍ବ କରିବା ସହ ଏଥିପାଇଁ ଆର୍‌ଆଇ ନିରଞ୍ଜନ ସିଂହ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍‌ ଆଜି ଜାଲ ବିଛାଇଥିଲା । ଆର୍‌ଆଇ ନିରଞ୍ଜନ ସିଂହ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା । ଟ୍ରାପ୍‌ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦିଗରୁ ନିରଞ୍ଜନ ସିଂହଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *