MMDR ଓ ବହି ବିଭ୍ରାଟ ପ୍ରସଙ୍ଗରେ ଗୃହରେ ହଙ୍ଗାମା

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଗୃହ ହୁଲୁସ୍ତୁଲ।

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଗୃହ ହୁଲୁସ୍ତୁଲ। ବିରୋଧୀଙ୍କ MMDR ଓ ବହି ବିଭ୍ରାଟ ପ୍ରସଙ୍ଗରେ ଗୃହ ଦୁଇ ଦୁଇଥର ଅଚଳ। ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହ ଭିତରେ ଓ ବାହାରେ ବହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା ବିଜେଡି। ଉଭୟ ବିଜେଡି ଓ କଂଗ୍ରେସ୍ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି MMDR ଓ ପାଠ୍ୟ ପୁସ୍ତକ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ। ବିଜେଡି ବିଧାୟକମାନେ ବହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରୁ ଶୋଭାଯାତ୍ରାରେ ଲୋୟର ପିଏମ୍ଜିକୁ ଯାଇଥିଲେ। ସେଠାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ। ସେପଟେ କଂଗ୍ରେସ୍, MMDR ପ୍ରସଙ୍ଗରେ ରାଜ୍ୟର ରାଜସ୍ୱ ହାନି ହେବ କହି ଏହି ବିଲ୍ ପ୍ରତ୍ୟାହାର ଦାବିରେ ବାଚସ୍ପତିଙ୍କ ପୋଡିୟମ୍ ଆଗରେ ନାରାବାଜି କରିଥିଲା। ଗୃହରେ ଅଚଳାବସ୍ଥା ପାଇଁ ବାଧ୍ୟହୋଇ ବାଚସ୍ପତି ଗୃହକୁ ଦୁଇଥର ମୁଲତବୀ କରିଥିଲେ।

ପାଠ୍ୟପୁସ୍ତକ ପ୍ରସଙ୍ଗରେ ବିଜେପି କହିଛି, 50 ହଜାରରୁ ଅଧିକ ସଂଶୋଧିତ ବହି ବଣ୍ଟା ସରିଛି। ବହି ତ୍ରୁଟି ପ୍ରସଙ୍ଗକୁ ନେଇ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, ଗୃହକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ସେହିଭଳି MMDR ପ୍ରସଙ୍ଗରେ ମଧ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବିରୋଧୀ ତାହା ନବୁଝି ଆନ୍ଦୋଳନ କରୁଛନ୍ତି। MMDR ପ୍ରସଙ୍ଗ ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା, ତାକୁ ଗ୍ରହଣ କରାଯାଇଛି। କିନ୍ତୁ କାହିଁକି କଂଗ୍ରେସ ସଦସ୍ୟମାନେ ସେହି ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଲେନି ଏବଂ କାହା ପ୍ରରୋଚନାରେ ଗୃହକୁ ଅଚଳ କଲେ ତାହା କୁହନ୍ତୁ ବୋଲି ବିଜେପି କହିଛି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁନର୍ବାର ବହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକମାନେ ରିପୋର୍ଟର୍ସ ଟେବୁଲ ଉପରେ ଚଢି ହୋହଲ୍ଲା କରିଥିଲେ। ସେପଟେ ହୋହଲ୍ଲା ଭିତରେ 4ଟି ବିଲ୍ ଗୃହରେ ଆଗତ ହୋଇଛି।

Leave a Reply

Your email address will not be published. Required fields are marked *