ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି, ଇମିଗ୍ରେସନ୍ ଯାଞ୍ଚ ନକରି ଭାରତ ଛାଡ଼ିଲେ ୩ ଇଟାଲୀୟ ନାଗରିକ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସାମ୍ନାକୁ ଆସିଛି ବଡ଼ ସୁରକ୍ଷା ତ୍ରୁଟି । ବାଧ୍ୟତାମୂଳକ ଇମିଗ୍ରେସନ୍ ଯାଞ୍ଚ ନକରି ଭାରତ ଛାଡ଼ି ମ୍ୟୁନିକ ଚାଲିଯାଇଛନ୍ତି ୩ ଇଟାଲୀୟ ନାଗରିକ । ଘଟଣାକୁ ଗୁରୁତର ଭାବେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକିଛି ।ସେପ୍ଟେମ୍ବର ୪ରେ ତିନି ଯାତ୍ରୀ ଅମୃତସରରୁ ଏୟାର ଇଣ୍ଡିଆର ଘରୋଇ ବିମାନରେ ଦିଲ୍ଲୀ ଆସିଥିଲେ । ଏହାପରେ ଲୁଫଥାନସା ବିମାନରେ ମ୍ୟୁନିକ ଯିବାର ଥିଲା । ନିୟମ ଅନୁସାରେ, ଘରୋଇ ବିମାନରୁ ଓହ୍ଲାଇବା ପରେ ଇମିଗ୍ରେସନ୍ ଯାଞ୍ଚ ସାରି ଅନ୍ତର୍ଜାତୀୟ ବିମାନ ଧରିବା କଥା ।ହେଲେ ଭୁଲବଶତଃ ଯାତ୍ରୀମାନଙ୍କୁ ସିଧାସଳଖ ଇଣ୍ଟରନ୍ୟାସନାଲ୍-ଟୁ-ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସଫର ଅଞ୍ଚଳକୁ ପଠାଇ ଦିଆଯାଇଥିଲା । ଫଳରେ ଇମିଗ୍ରେସନ୍ ପ୍ରକ୍ରିୟା ନକରି ସେମାନେ ଲୁଫଥାନସା ବିମାନରେ ମ୍ୟୁନିକ ଚାଲିଯାଇଥିଲେ। ପରେ ତଥ୍ୟ ଯାଞ୍ଚ ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *