ଓରାଙ୍ଗୁଟାନ୍‌ ଇଣ୍ଡୋନେସିଆ ମୂଳ ପ୍ରମାଣିତ ହେଲେ ଶୀଘ୍ର ଫେରାଇବାକୁ ଭାରତକୁ ଆନୁଷ୍ଠାନିକ ଅନୁରୋଧ

ବାଲେଶ୍ୱର ଜଙ୍ଗଲରୁ ମିଳିଲେ ୫ ଶିଶୁ ଓରାଙ୍ଗୁଟାନ୍‌, ଇଣ୍ଡୋନେସିଆର ଦାବି!

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଙ୍ଗଲରୁ ଉଦ୍ଧାର ହୋଇଥିବା ପାଞ୍ଚଟି ଶିଶୁ ଓରାଙ୍ଗୁଟାନ୍‌କୁ ନେଇ ଘଟଣା ଏବେ ଆନ୍ତର୍ଜାତିକ ରୂପ ନେଇଛି। ଜେନେଟିକ୍ ପରୀକ୍ଷାରେ ଯଦି ଏହି ଓରାଙ୍ଗୁଟାନ୍‌ମାନଙ୍କ ମୂଳ ଇଣ୍ଡୋନେସିଆ ବୋଲି ପ୍ରମାଣିତ ହୁଏ, ତେବେ ସେମାନଙ୍କୁ ଇଣ୍ଡୋନେସିଆକୁ ଫେରାଇବାକୁ ଭାରତକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛି ସେହି ଦେଶ।ସୂଚନା ଅନୁସାରେ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱରର ଜଙ୍ଗଲରୁ ୬ରୁ ୮ ମାସ ବୟସର ପାଞ୍ଚଟି ଶିଶୁ ଓରାଙ୍ଗୁଟାନ୍‌ ଉଦ୍ଧାର ହୋଇଥିଲେ। ଏହି ଘଟଣା ସମ୍ପର୍କରେ ଭାରତୀୟ CITES ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ନିଶ୍ଚିତ ସୂଚନା ଦେବାକୁ ଇଣ୍ଡୋନେସିଆ ଅନୁରୋଧ କରିଛି।ସେପ୍ଟେମ୍ବର ୧୦ରେ ଇଣ୍ଡୋନେସିଆର ବନ ବିଭାଗ ମନ୍ତ୍ରଣାଳୟ ଭାରତୀୟ CITES ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏକ ଆନୁଷ୍ଠାନିକ ପତ୍ର ଲେଖିଛି। ଏଥିରେ କୁହାଯାଇଛି ଯେ, ଜେନେଟିକ୍ ନମୁନା ପରୀକ୍ଷାରୁ ଯଦି ଓରାଙ୍ଗୁଟାନ୍‌ମାନଙ୍କ ଉତ୍ପତ୍ତି ଇଣ୍ଡୋନେସିଆ ବୋଲି ନିଶ୍ଚିତ ହୁଏ, ତେବେ ସେମାନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଇଣ୍ଡୋନେସିଆ ପ୍ରସ୍ତୁତ ଅଛି।ଇଣ୍ଡୋନେସିଆ ଏହା ମଧ୍ୟ ଦର୍ଶାଇଛି ଯେ ଓରାଙ୍ଗୁଟାନ୍‌ (Pongo spp.) CITESର Appendix-I ଅଧୀନରେ ସୁରକ୍ଷିତ ପ୍ରଜାତି ଭାବେ ତାଲିକାଭୁକ୍ତ। ଇଣ୍ଡୋନେସିଆ ଓରାଙ୍ଗୁଟାନ୍‌ର ପ୍ରାକୃତିକ ବାସସ୍ଥାନ ଥିବା ଦେଶ ହୋଇଥିବାରୁ ଏହି ଘଟଣାରେ ଭାରତରୁ ଆଧିକାରିକ ନିଶ୍ଚିତତା ଚାହିଁଛି।ଏହି ଘଟଣା ପରେ ପାଞ୍ଚ ଶିଶୁ ଓରାଙ୍ଗୁଟାନ୍‌ ଓଡ଼ିଶାକୁ କିପରି ଆସିଲେ, ସେମାନଙ୍କୁ କେଉଁଠାରୁ ଆଣାଯାଇଥିଲା ଏବଂ ଏହା ପଛରେ ବନ୍ୟଜନ୍ତୁ ଚାଲାଣ ରାକେଟ୍‌ର ସମ୍ପୃକ୍ତି ଅଛି କି ନାହିଁ—ତାହା ନେଇ ତଦନ୍ତ ଉପରେ ଏବେ ନଜର ରହିଛି।

Leave a Reply

Your email address will not be published. Required fields are marked *