ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ
ଆଜି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଏହି ବେଶ ହେବ । ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରିବେ । ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଶୋଭାପାଏ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘ ଓ ବାମ ହସ୍ତରେ ପଦ୍ମ ଫୁଲ ମଧ୍ୟ ଶୋଭାପାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ ।
