FDA ପକ୍ଷରୁ ତିନି ପ୍ରମୁଖ ସୁପରଷ୍ଟାରଙ୍କୁ ନୋଟିସ

ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ନୋଟିସ୍

ବଲିଉଡର ତିନି ପ୍ରମୁଖ ସୁପରଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ସମସ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ପାନ ମସଲା ବିଜ୍ଞାପନ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହି ବିଜ୍ଞାପନ ନିଷିଦ୍ଧ ଉତ୍ପାଦ ପାନ ମସଲାର ପରୋକ୍ଷ କିମ୍ବା ସରୋଗେଟ୍ ପ୍ରମୋସନ୍ ହୋଇପାରେ ବୋଲି FDA ଆଶଙ୍କା ପ୍ରକାଶ କରିଛି । ନୋଟିସରେ ତିନି ଅଭିନେତାଙ୍କୁ ବିଜ୍ଞାପନରେ ସେମାନଙ୍କ ଭୂମିକା ଓ ପ୍ରଚାରମୂଳକ ସମର୍ଥନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି । ନଚେତ ଏମାନେ ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ ।FDA ମହାରାଷ୍ଟ୍ରରେ ତମାଖୁ ଏବଂ ପାନ ମସଲା ବିକ୍ରିକୁ ନେଇ ଆକ୍ସନ ମୋଡରେ ରହିଛି । FDAର ଅଭିଯୋଗ ଅନୁଯାୟୀ, ବିଜ୍ଞାପନରେ ବ୍ୟବହୃତ ବ୍ରାଣ୍ଡ ନାମ, ସଂଳାପ ଓ ଉପସ୍ଥାପନା ବ୍ରାଣ୍ଡକୁ ପାନ ମସଲା ସହିତ ଯୋଡ଼ିବାର ବାର୍ତ୍ତା ଦେଉଛି । ତେଣୁ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ମଧ୍ୟ ଏଫଡିଏ ଯାଞ୍ଚ ପରିସରଭୁକ୍ତ ହୋଇଛନ୍ତି । ଭ୍ରାମକ ଖାଦ୍ୟ ବିଜ୍ଞାପନ ସମ୍ପର୍କିତ ମାମଲାରେ ଆଇନ ଅନୁଯାୟୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଥିବା FDA ଦର୍ଶାଇଛି ।FDA ନୋଟିସରେ କୁହାଯାଇଛି ଯେ, ଖାଦ୍ୟ ସମ୍ପର୍କିତ ଏପରି ବିଜ୍ଞାପନ ଯାହା ଭ୍ରାମକ କିମ୍ବା ଖାଦ୍ୟ ସୁରକ୍ଷା ଆଇନ ଓ ଏହା ଅଧୀନରେ ଥିବା ନିୟମାବଳୀର ଉଲ୍ଲଂଘନ କରେ, ତାହା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

Leave a Reply

Your email address will not be published. Required fields are marked *